ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଜଣେ ଆଥଲେଟ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେବେ ଜାତୀୟ ସୁଟିଂ ଶିବିରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ(sports autority of india) ପକ୍ଷରୁ କୁହାଯାଇଛି। 2021ବର୍ଷ ଅଲିମ୍ପିକ୍ସ ପାଇଁ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଆଥଲେଟମାନେ ତାଲିମ ନେଉଛନ୍ତି।
ଗତମାସରେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ତାଲିମ ଆରମ୍ଭ କରିବା ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଅନୁମତି ଦିଆଯାଇଥିଲା। ତେବେ 10 ମିଟର ସୁଟିଂ ରେଞ୍ଜର ଜଣେ ଆଥଲେଟ ନିଜ କୋଚଙ୍କଠାରୁ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜ ପକ୍ଷରୁ ସମ୍ପୃକ୍ତ ଆଥଲେଟଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।
ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ କହିଛି ଯେ, ଜଣେ 10 ମିଟର ରେଞ୍ଜ ସୁଟର କୋରୋନା ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଆଥଲେଟଙ୍କ କୋଚ କିଛି ଦିନ ତଳେ କୋରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଆଥଲେଟଙ୍କ କୋରୋନା ଯାଞ୍ଚ କରାଯାଇଥିଲା। ତେବେ ଆଜି(ରବିବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଆଥଲେଟ ଜଣକ ଅକ୍ଟୋବର 28 ତାରିଖରେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ତାଲିମ ନେବାକୁ ଉପସ୍ଥିତ ରହିଥିଲେ। ତେବେ ସେହି ସମୟରେ ଯେଉଁମାନେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ରହିଥିଲେ ସେମାନଙ୍କୁ 14 ଦିନ ଆଇସୋଲେସନର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସେହି ସମୟରେ ଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ 14 ଦିନ ପାଇଁ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି।
ଡକ୍ଟର କର୍ଣ୍ଣି ସିଂହ ସୁଟିଂ କ୍ୟାମ୍ପରେ ବର୍ତ୍ତମାନ 32 ଜଣ ସୁଟର ଅଲିମ୍ପିକ୍ସ ପାଇଁ ତାଲିମ ନେଉଛନ୍ତି। ଯେଉଁଥିରେ 18 ଜଣ ପୁରୁଷ ସୁଟର ରହିଥିବା ବେଳେ 14 ଜଣ ମହିଳା ସୁଟର ରହିଛନ୍ତି। ଏହାସହ ଏହି କ୍ୟାମ୍ପରେ ଦୁଇ ଜଣ ସପୋର୍ଟ ଷ୍ଟାଫ, 8 ଜଣ ଭାରତୀୟ କୋଚ ଓ ଦୁଇ ଜଣ ବିଦେଶୀ କୋଚ ରହିଛନ୍ତି। ଏହି କ୍ୟାମ୍ପ ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(sports autority of india) ପକ୍ଷରୁ ଏକ କୋଟି 43 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସ ପାଇଁ ତାଲିମ ନେଉଥିବା ଖେଳାଳୀଙ୍କ ପାଇଁ ଗୋଟିଏ ସମୟ ଓ ନିୟମିତ ସୁଟିଂ ତାଲିମ ନେଉଥିବା ସୁଟରଙ୍କ ପାଇଁ ଅନ୍ୟ ସମୟ ଧାର୍ଯ୍ୟ କରାଯାଇଛି। ସକାଳ ସମୟରେ ଅଲିମ୍ପିକ୍ସ ସୁଟର ତାଲିମ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ନିୟମିତ ସୁଟିଂ ତାଲିମ ନେଉତିବା ସୁଟରଙ୍କ ପାଇଁ ଅପରାହ୍ଣ ସମୟ ଧାର୍ଯ୍ୟ କରାଯାଇଛି। ଦୁଇ ସ୍ଲଟ ମଧ୍ୟରେ 1 ଘଣ୍ଟାର ସାନିଟାଇଜ ସମୟ ରଖା ଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ