ଟୋକିଓ: ସାରା ବିଶ୍ବରେ ଜାରି ରହିଥିବା ମାରାତ୍ମକ କୋରୋନା ଭାଇରସ ପ୍ରଭାବରେ କ୍ରୀଡା ଜଗତ ସ୍ତବ୍ଧ ହୋଇଯାଇଛି । ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯିବା ପରେ ଏବେ କ୍ରୀଡା ଜଗତରୁ ସାମ୍ନାକୁ ଆସିଛି ଏକ ବଡ ଖବର । 2020 ଟୋକିଓ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସକୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖିଛି ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ।
ତେବେ ଆସନ୍ତା ଜୁଲାଇ 24 ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଅଲମ୍ପିକ ପାଇଁ ଖେଳସୂଚୀ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଆଇଓସି ସଭାପତି ଥୋମାସ୍ ବାଚ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା ପରେ ଅଲମ୍ପିକକୁ ସ୍ଥଗିତ ରଖାଯାଇଛି । ତେବେ ଏହା 2020 ପରିବର୍ତ୍ତେ 2021ରେ ଗ୍ରୀଷ୍ମରେ ଅନୁଷ୍ଠିତ ହେବ । ଆଇଓସି ସଭାପତି ବାଚ୍ କହିଛନ୍ତି, ଟୋକିଓ ଅଲିମ୍ପିକ୍ ଗେମ୍ସ ବାତିଲ ହେବ ନାହିଁ । ଏହା 2020 ପରିବର୍ତ୍ତେ 2021 ଗ୍ରୀଷ୍ମରେ ଅନୁଷ୍ଠିତ ହେବ । ତେବେ ଅଲମ୍ପିକ ସ୍ଥଗିତ ହେବା ପରେ ବିଭିନ୍ନ ଦେଶ ଏହାକୁ ସ୍ବାଗତ ଜଣାଇଛନ୍ତି ।