ଟୋକିଓ: ଚଳିତ ଟୋକିଓ ଅଲମ୍ପିକ୍ ସେମିରେ ଅଟକିଲା ଭାରତୀୟ ପୁରୁଷ ହକି ଟିମର ବିଜୟ ରଥ । ସେମିଫାଇନାଲ ମୁକାବିଲାରେ ୨-୫ ଗୋଲ୍ରେ ବେଲଜିୟମଠୁ ପରାସ୍ତ ହୋଇଛି ଭାରତ । ଏକ ଲଢେଇ ଯାହା ଦୀର୍ଘ ସମୟ ମନେରହିବ । ଟୋକିଓ ଅଲମ୍ପିକ୍ର ସେମିଫାଇନାଲରେ ପ୍ରବେଶ କରି ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଗତ କିଛି ଦିନ ମଧ୍ୟରେ ସଫଳତାର ଏକ ନୂଆ ଅଧ୍ୟାୟ ସହ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଯେଉଁ ସଫଳତା ୪୧ ବର୍ଷ ହେଲା ହାସଲ ହୋଇପାରିନି, ତାହାର ନିକଟତର ହୋଇଛି ଭାରତୀୟ ହକି ।
ମଙ୍ଗଳବାର, ସେମିଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ ହକି ଟିମକୁ ବେଲଜିୟମ ହାତରୁ ପରାଜୟ ମିଳିଛି। ଚଳିତ ଟୋକିଓ ଅଲମ୍ପିକର ହକି ସେମିଫାଇନାଲ ମ୍ୟାଚ୍ରେ ବେଲଜିୟମ ୫-୨ ଗୋଲ୍ରେ ଭାରତକୁ ହରାଇଛି ।
ଫଳରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ର ବିଜେତା ସହ ସ୍ବର୍ଣ୍ଣ ପଦକ ମ୍ୟାଚ ଖେଳିବ ବେଲଜିୟମ ।
ଅନ୍ୟପଟେ ଭାରତ ଗୁରୁବାର, ଅଷ୍ଟ୍ରେଲିଆ ଓ ଜର୍ମାନୀ ବିପକ୍ଷ ମ୍ୟାଚର ପରାଜିତ ଟିମ ସହ ବ୍ରୋଞ୍ଜ ପଦକ ମ୍ୟାଚ ଖେଳିବ ।
ଭାରତୀୟ ଟିମ ଭଲ ଆରମ୍ଭ କରିଥିଲା ଓ ଶେଷ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାକୁ ପ୍ରୟାସ କରିଥିଲା । ମାତ୍ର ଶେଷ କ୍ବାର୍ଟରରେ ଲୟ ହରାଇବସିଲା । ମ୍ୟାଚର ଶେଷ ଭାଗରେ ଗୋଲ୍କିପର ଶ୍ରୀଜେଶଙ୍କୁ ପ୍ରତ୍ୟାହାର କରି ଜଣେ ଫିଲ୍ଡ ଖେଳାଳି ଖେଳାଇଥିଲା ଭାରତ । ଏହାର ଫାଇଦା ଉଠାଇ ଶେଷ ଗୋଲ୍ କରିବାରେ ସକ୍ଷମ ହୋଇଗଲା ବେଲଜିୟମ ।
ପୂର୍ବରୁ ମ୍ୟାଚ ଆରମ୍ଭର(ପ୍ରଥମ କ୍ବାର୍ଟର) ପ୍ରଥମ ମିନିଟରେ ହିଁ ଲୋଇକ ଲୁଏପର୍ଟ ଗୋଲ୍ କରିବା ସହ ବେଲଜିୟମକୁ ୧-୦ରେ ଆଗୁଆ କରିଥିଲେ । ଫଳରେ ଆରମ୍ଭରୁ ଚାପରେ ପଡିଯାଇଥିଲା ଭାରତ ।
ତେବେ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ଶୀଘ୍ର ଗୋଲ୍ କରିବା ସହ ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତକୁ ୨-୧ରେ ଆଗୁଆ କରିଥିଲେ ।
ଦ୍ବିତୀୟ କ୍ବାର୍ଟରରେ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ବେଲଜିୟମକୁ ମିଳିଥିବା ଏକ ପେନାଲିଟି କର୍ଣ୍ଣରର ଫାଇଦା ଉଠାଇ ଗୋଲ୍ କରିବା ସହ ସ୍କୋର ୨-୨ରେ ବରାବର କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଆଉ କୌଣସି ଗୋଲ୍ ହୋଇନଥିଲା ଓ ସ୍କୋର ସମାନ ରହିଥିଲା ।
ତୃତୀୟ କ୍ବାର୍ଟରରେ ମଧ୍ୟ ପ୍ରବଳ ଛକାପଞ୍ଝା ମଧ୍ୟରେ ଉଭୟ ଟିମ ପରସ୍ପରକୁ ଗୋଲ୍ କରିବାକୁ ଦେଇନଥିଲେ । ଫଳରେ ଶେଷ ୧୫ ମିନିଟରେ ମ୍ୟାଚର ନିର୍ଣ୍ଣର ହେବାକୁ ଯାଇଥିଲା । ଉଭୟ ବେଲଜିୟମ ଓ ଭାରତୀୟ ଖେଳାଳି ଅତ୍ୟଧିକ ଚାପରେ ଥିଲେ । ଚତୁର୍ଥ କ୍ବାର୍ଟରରେ ବେଲଜିୟମ ପକ୍ଷରୁ ହେଣ୍ଡ୍ରିକ୍ସ ଦ୍ବିତୀୟ ଗୋଲ୍ କରିବା ସହ ୩-୨ରେ ଟିମକୁ ଆଗୁଆ କରିଥିଲେ । ଏହି ଗୋଲ୍ ସହ ମ୍ୟାଚକୁ ପ୍ରାୟ ୧୧ ମିନିଟ ବାକି ଥିବା ପର୍ଯ୍ୟନ୍ତ ଆଗୁଆ ରହିଥିବା ବେଲଜିୟମ । ଏହାର କିଛି ମିନିଟ ପରେ ଆଉ ଏକ ପେନାଲିଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବା ସହ ହ୍ୟାଟ୍ରିକ୍ ପୂରଣ କରିଥିଲେ ହେଣ୍ଡ୍ରିକ୍ସ ଓ ବେଲଜିୟମର ସ୍କୋର ୪-୨ ହୋଇଯାଇଥିଲା । ଶେଷରେ ବେଲଜିୟମ ଅଧିକ ଆକ୍ରମଣତ୍ମକ ଖେଳିବା ସହ ବିଜୟୀ ହୋଇଥିଲା । ଏହା ବେଲଜିୟମର ଦ୍ବିତୀୟ ଲଗାତାର ଅଲମ୍ପିକ ଫାଇନାଲ ପ୍ରବେଶ ।
ପୂର୍ବରୁ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇ ଶ୍ରେଷ୍ଠ ୪ ଟିମ ମଧ୍ୟରେ ସ୍ଥାନ ପକ୍କା କରିଥିଲା ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ