ନୂଆଦିଲ୍ଲୀ: ହକି ଇଣ୍ଡିଆ ଉପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଖପ୍ପା । ଆସନ୍ତାବର୍ଷ ଇଂଲଣ୍ଡର ବର୍ମିଂହାମରେ ହେବାକୁ ଥିବା କମନୱେଲ୍ଥ୍ ଗେମ୍ସରୁ ହକି ଇଣ୍ଡିଆ ଓହରିବା ଘୋଷଣା ନେଇ ରବିବାର ପ୍ରଶ୍ନ ଉଠାଇଛନ୍ତି ଠାକୁର । ଏହି ନିଷ୍ପତ୍ତି ମହାସଂଘର ଏକକ ନିଷ୍ପତ୍ତି ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ସମୟରେ କ୍ରୀଡାମନ୍ତ୍ରୀ କହିଛନ୍ତି, ଏପରି ବଡ ନିଷ୍ପତ୍ତି ନେବାସମୟରେ ସରକାରଙ୍କ ପରାମର୍ଶ ନିଶ୍ଚୟ ନିଆଯିବ ଉଚିତ । ୧୩୦ କୋଟି ଜନସଂଖ୍ୟାରୁ ଅଧିକ ଦେଶ ଭାରତରେ, ଦେଶକୁ ପ୍ରତିନିଧିତ୍ବ କରିବାକୁ କେବଳ ୧୮ ଜଣ ଖେଳାଳି ନାହାନ୍ତି । ଦେଶରେ ପ୍ରତିଭାର କମି ନାହିଁ । କ୍ରିକେଟକୁ ଦେଖନ୍ତୁ, ଆଇପିଏଲ ଖେଳାଯାଉଛି ଓ ବିଶ୍ବକପ ମଧ୍ୟ ଖେଳାଯିବ । ଏସିଆନ ଗେମ୍ସକୁ ଅଧିକ ଗୁରୁତ୍ବଦିଆଯାଉଥିବା କାରଣ ନେଇ ଅବଗତ ଅଛି । ହକି ଇଣ୍ଡିଆ କ୍ରୀଡା ମନ୍ତ୍ରଣାଳୟ ଓ ସରକାରଙ୍କ ସହିତ ଆଲୋଚନା କରିବ ବୋଲି ଆଶାବାଦି ବୋଲି କହିଛନ୍ତି ଠାକୁର ।
ହକି ଇଣ୍ଡିଆ ନିକଟରେ ଆସନ୍ତାବର୍ଷ ଇଂଲଣ୍ଡର ବର୍ମିଂହାମରେ ହେବାକୁ ଥିବା କମନୱେଲ୍ଥ ଗେମ୍ସରୁ COVID-୧୯ ଓ ୟୁକେ ସରକାରଙ୍କ ବିଭେଦପୂର୍ଣ୍ଣ କ୍ବାରେଣ୍ଟିନ ନିୟମ କାରଣ ଦର୍ଶାଇ ଓହରି ଯିବାନେଇ ଘୋଷଣା କରିଛି । ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଏକ ଚିଠି ମାଧ୍ୟମରେ ଭାରତୀୟ ଅଲମ୍ପିକ୍ ଆସୋସିଏସନ(IOA )ସଭାପତିଙ୍କୁ ଏନେଇ ଜଣାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ