ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ହକି ପ୍ରୋ-ଲିଗରେ ଏକ ମ୍ୟାଚରେ ଭାରତ, ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚକୁ 4-3ରେ ଜିତି ନେଇଥିଲା । ତେବେ 2ୟ ମ୍ୟାଚରେ ଭାରତ ବିଜୟୀ ହୋଇଛି।
ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ବେଶ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଅଷ୍ଟ୍ରେଲିଆ ଅନେକ ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିବାକୁ ସମର୍ଥ ହୋଇନଥିଲା । ତେବେ ଏହା ମଧ୍ୟରେ ଦଳ 2ଟି ଗୋଲ ଦେଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ସମର୍ଥ ହୋଇଥିଲା । ତେବେ ପ୍ରଥମାର୍ଦ୍ଧ ପରେ ଭାରତୀୟ ଖେଳାଳି ଗୋଟିଏ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋର 2-1 କରିବାରେ ସକ୍ଷମ ହୋଇଥିଲା।
ଏହାପରେ ଭାରତୀୟ ଖେଳାଳିଙ୍କ ନିକଟରେ ଭରପୁର ଜୋଶ ଦେଖିବାକୁ ମିଳିଥିଲା । ଶେଷ ଭାଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଉ ଏକ ଗୋଲ ଦେଇ ମ୍ୟାଚ ଟାଇ ରଖିବାରେ ସଫଳ ହୋଇଥିଲେ ମନପ୍ରୀତ ବାହିନୀ।
ପରେ ନିୟମ ଅନୁସାରେ ସୁଟଆଉଟ ଜରିଆରେ ଫଳାଫଳ ନିର୍ଣ୍ଣୟ ପାଇଁ ନିଷ୍ପତ୍ତି ହୋଇଥିଲା । ଯେଉଁଥିରେ ଭାରତ 3-1ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଶୁକ୍ରବାରର ପରାଜୟର ହିସାବ ବରାବର କରିଥିଲା । ଷ୍ଟାଡିୟମର ଗ୍ୟାଲେରୀରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ