ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମର ଅନୁଭବି ଡିଫେଣ୍ଡର ସୁନୀତା ଲାକ୍ରା ନିଜର ଅନ୍ତଃରାଷ୍ଟ୍ରୀୟ ହକି କ୍ୟାରିୟରରୁ ସନ୍ୟାସ ନେଇଛନ୍ତି । 28 ବର୍ଷୀୟା ଏହି ଖେଳାଳି ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । ତାଙ୍କର ଆଣ୍ଠୁରେ ଆଘାତ ଲାଗିଛି । ଏଥିପାଇଁ ସର୍ଜରିର ଆବଶ୍ୟକତା ରହିଛି । ତେଣୁ ଅନ୍ତଃରାଷ୍ଟ୍ରୀୟ କ୍ୟାରିୟରରୁ ବିଦାୟ ନେଇଛନ୍ତି ।
ସୁନୀତା ନିଜର ଅବସର ଘୋଷଣା ପରେ ବେଶ୍ ଭାବୁକ ହୋଇ ପଡିଛନ୍ତି । ସେ କହିଛନ୍ତି ଯେ, ଆଜି ମୋ ପାଇଁ ଭାବବିହ୍ବଳ ଦିନ । ଅନ୍ତଃରାଷ୍ଟ୍ରୀୟ କ୍ୟାରିୟରରୁ ବିଦାୟର ନିଷ୍ପତ୍ତି ମୁଁ ନିଜେ ନେଇଛି । ମୁଁ 2008ରୁ ଭାରତୀୟ ମହିଳା ହକି ଟିମ ସହ ସାନଦାର ଯାତ୍ରା କରିଛି । ଏହି ଯାତ୍ରା ଭଲଥିଲା ଆଉ କିଛି ପରିସ୍ଥିତି ଜଟିଳ ମଧ୍ୟ ଥିଲା । କିନ୍ତୁ ମନେ ରହିବ ପ୍ରତିକୂଳ ପରିସ୍ଥିତିରେ ଟିମ ହୋଇ ସମସ୍ତ ବାଧାକୁ ସମ୍ମୁଖିନ କରିବା ।
ଆହୁରି ମଧ୍ୟ କହିଛନ୍ତି, 2016ରେ ରିୟୋ ଅଲମ୍ପିକରେ ଖେଳିବା ମୋ ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ମୁହୂର୍ତ୍ତ ରହିଥିଲା । 3ଦଶନ୍ଧିରେ ଭାରତର ଏହା ପ୍ରଥମ ଥିଲା ।
ଏଥିସହ କହିଛନ୍ତି ଯେ, ମୋର ସମସ୍ତ ଟିମ ସଦସ୍ୟଙ୍କୁ 2020 ଟୋକିଓ ଅଲମ୍ପିକ ପାଇଁ ଶୁଭକାମନା ଜଣାଉଛି । ପଦକ ଜିତିବାର ଲକ୍ଷ୍ୟ ସହ ନୂତନ ବର୍ଷର ଆରମ୍ଭ ହେବ । କିନ୍ତୁ ମୁଁ ସେହି ଟିମର ଅଂଶ ହୋଇପାରିବି ନାହିଁ ,ସେଥିପାଇଁ ଦୁଃଖିତ ।
ସୂଚନାଥାଉକି, ସୁନୀତା 2018 ଏସିଆନ ଚମ୍ପିଆନସିପ୍ ଟ୍ରଫିରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ସେ ଦେଶ ପାଇଁ139 ମ୍ୟାଚ ଖେଳିଛନ୍ତି ।