ନୂଆଦିଲ୍ଲୀ: ମାର୍ଚ୍ଚ 15ରୁ ସମସ୍ତ ଆଇ-ଲିଗ୍ ମ୍ୟାଚ୍ ଏବଂ ଅନ୍ୟାନ୍ୟ ଫୁଟବଲ୍ କାର୍ଯ୍ୟକଳାପକୁ କୋରୋନା ଭାଇରସ୍ ପାଇଁ ମାର୍ଚ୍ଚ 31 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (AIFF) କହିଛି । ସେହିପରି ଆଜି(ଶନିବାର) ଖେଳାଯାଇଥିବା ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫାଇନାଲ ମଧ୍ୟ ବିନା ଦର୍ଶକରେ ଅନୁଷ୍ଠିତ ହୋଇଛି ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ପରାମର୍ଶ ଏବଂ ନିର୍ଦ୍ଦେଶନାମକୁ ପାଳନ କରି ସମସ୍ତ ଫୁଟବଲ୍ ଟୁର୍ଣାମେଣ୍ଟକୁ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ଏଆଇଏଫଏଫ କହିଛି । ଏଫ୍ଆଇଏଫ୍ ଆହୁରି କହିଛି, ସମସ୍ତ ହିରୋ ଦ୍ବିତୀୟ ଡିଭିଜନ୍, ହିରୋ ୟୁଥ୍ ଲିଗ୍, ଗୋଲ୍ଡେନ ବେବି ଲିଗ୍ ଏବଂ ଜାତୀୟ ପ୍ରତିଯୋଗିତା ମଧ୍ୟ ତୁରନ୍ତ ସ୍ଥଗିତ ରହିବ।
ତେବେ ଶନିବାର ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ରିଅଲ କାଶ୍ମୀର ଏବଂ ଟିଆରଏୟୁ ଏଫସି ମଧ୍ୟରେ ଆଇ-ଲିଗ୍ ମ୍ୟାଚ୍ ମଧ୍ୟ ବିନା ଦର୍ଶକରେ ଅନୁଷ୍ଠିତ ହୋଇଛି ।
କୋରୋନା ଭାଇରସ୍ କାୟା ବିସ୍ତାର ପରେ ସମସ୍ତ କ୍ରୀଡା ଇଭେଣ୍ଟକୁ ବାତିଲ କରାଯିବା ଉଚିତ ବୋଲି ସ୍ପଷ୍ଟ କରିଛି କ୍ରୀଡା ମନ୍ତ୍ରଣାଳୟ । ଯଦି କୌଣସି ଟର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ, ତେବେ ତାହା ଦର୍ଶକ ବିନା ଖେଳାଯିବ ବୋଲି ମଧ୍ୟ କ୍ରୀଡା ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।