ନୂଆଦିଲ୍ଲୀ: ଆଇ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ ବିନା ଦର୍ଶକରେ ଅନୁଷ୍ଠିତ ହେବ । ମହାମାରୀ କୋରୋନା ଭୟାବହତାକୁ ଦୃଷ୍ଟରେ ରଖି ନିଷ୍ପତ୍ତି ନିଆଯାଇଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଏଆଇଏଫ ) ।
ଦଳର ଅଧିକାରୀ ଏବଂ ଖେଳାଳିଙ୍କ ବ୍ୟତୀତ, ମ୍ୟାଚ୍ ଅଧିକାରୀ (ରେଫରୀ), ମେଡିକାଲ୍ ଷ୍ଟାଫ୍, ଟିଭି କ୍ରୁ ମେମ୍ବର, ସ୍ବୀକୃତପ୍ରାପ୍ତ ଗଣମାଧ୍ୟମ ଏବଂ ଆବଶ୍ୟକ ସୁରକ୍ଷା କର୍ମୀ-ମ୍ୟାଚ୍ ଦିନ ଷ୍ଟାଡିୟମ ପରିସରରେ ରହିବାକୁ ଅନୁମତି ଦିଆଯିବ ନାହିଁ । ସେହିପରି ଅଭ୍ୟାସ ସମୟରେ ମଧ୍ୟ କୌଣସି 3ୟ ବ୍ୟକ୍ତି ରହିବେ ନାହିଁ ବୋଲି ଏଏଆଇଏଫ କହିଛି । ସୂଚନାଥାଉ କି, କୋରୋନା ଭାଇରସ ପାଇଁ ଭାରତରେ କୌଣସି କ୍ରୀଡା ଇଭେଣ୍ଟ ଦର୍ଶକଙ୍କ ଉପସ୍ଥିତିରେ ହୋଇପାରିବ ନାହିଁ ବୋଲି କ୍ରୀଡା ମନ୍ତ୍ରଣାଳୟ ସମସ୍ତ ଜାତୀୟ ଫେଡରେସନକୁ ନିର୍ଦ୍ଦେଶ ଦେଇଛି ।