ପାନାଜୀ: ଗୋଆ ଏଫସିର ମୁଖ୍ୟକୋଚ ଜୁଆନ ଫେରାଣ୍ଡୋ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଗୋଆ ଏଫସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସେ ଆଇସୋଲେସନରେ ରହିଛନ୍ତି। ତେବେ ଦଳର ଅନ୍ୟ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ ସୁରକ୍ଷିତ ରହିଛନ୍ତି।
ଗୋଆ ଏଫସି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, "ଜୁଆନ ଫେରାଣ୍ଡୋଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖା ଯାଇନଥିଲା। ତେବେ ପରୀକ୍ଷା କରାଇବା ପରେ ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ସେ ଆଇସୋଲେସନରେ ରହିଛନ୍ତି। ତାଙ୍କସହ କୋରୋନା ପରୀକ୍ଷା କରାଇଥିବା ଦଳର ସମସ୍ତ ଖେଳାଳି ଓ ଅନ୍ୟ କୋଚିଂ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି।"
ମୁଖ୍ୟକୋଚ ଜୁଆନ ଫେରାଣ୍ଡୋଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋରୋନା ଯାଞ୍ଚ କରାଇବାକୁ ପରାମର୍ଶ ଦିଆଯାଇଛି। ଗୋଆ ଏଫସି ଚଳିତ ଇଣ୍ଡିଆନ ସୁପରଲିଗରେ ଭଲ ପ୍ରଦର୍ଶନ କରିଥିଲା। ତେବେ ସେମିଫାଇନାଲରେ ମୁମ୍ବାଇ ଏଫସି ବିପକ୍ଷରେ ଦଳ 5-6 ଗୋଲରେ ପରାସ୍ତ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଗୋଆ ଏଫସି ପାଇଁ ମୁଖ୍ୟକୋଚ ଜୁଆନ ଫେରାଣ୍ଡୋଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ