ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଭାରତୀୟ କ୍ରିକେଟ ଦଳର ବରିଷ୍ଠ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି । ଦଳ ପ୍ରତି ସେମାନଙ୍କ ନିଷ୍ଠାକୁ ପ୍ରଶ୍ନ ଉଠାଇଛନ୍ତି ଗାଭାସ୍କର । କ୍ରମାଗତ ବିଶ୍ରାମ ନେଉଥିବାରୁ ବରିଷ୍ଠ କ୍ରିକେଟରଙ୍କୁ ସମାଲୋଚନା କରି ସୁନୀଲ ଗାଭାସ୍କର କହିଛନ୍ତି ବିନା ବିଶ୍ରାମରେ 2ମାସ ଆଇପିଏଲ ଖେଳୁଛନ୍ତି ହେଲେ ଦେଶପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ବିଶ୍ରାମ ମାଗିବା ଗ୍ରହଣୀୟ ନୁହେଁ । ଖେଳାଳିଙ୍କ ଏପରି ବିଶ୍ରାମ ନେବା ଧାରାକୁ ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି କହିଛନ୍ତି ଲିଟିଲ୍ ମାଷ୍ଟର ।
ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳରେ ବରିଷ୍ଠ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମରା ଓ ଋଷଭ ପନ୍ତଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦେବା ପରେ ଗାଭାସ୍କର ଏପରି କଟାକ୍ଷ କରିଛନ୍ତି । ଗାଭାସ୍କର କହିଛନ୍ତି, "ଖେଳାଳିଙ୍କୁ ବିଶ୍ରାମ ଦେବାର ଏ ଯୋଜନା ସହ ମୁଁ ଏକମତ ନୁହେଁ । ଆଇପିଏଲରେ କୌଣସି ଖେଳାଳି ବିଶ୍ରାମ ମାଗୁ ନାହାନ୍ତି ହେଲେ ଭାରତ ପାଇଁ ଖେଳିବାକୁ ବିଶ୍ରାମ ମାଗୁଛନ୍ତି । ତେବେ ଭାରତ ପାଇଁ ଖେଳିବାକୁ କାହିଁକି ବିଶ୍ରାମ ମାଗୁଛ ? ଖେଳାଳିଙ୍କ ଏପରି ମନୋଭାଗ ଗ୍ରହଣୀୟ ନୁହେଁ । ତୁମକୁ ଭାରତ ପାଇଁ ଖେଳିବାକୁ ହେବ । ବିଶ୍ରାମ ପ୍ରସଙ୍ଗ ଉଠାଇବା ଅନୁଚିତ ।"
ଟି20ରେ ମାତ୍ର 20 ଓଭର ଖେଳାଯିବ ଏହା ଚାପ ପକାଇବ ନାହିଁ । ତେଣୁ ଟି20 ଖେଳିବାରେ କୌଣସି ଅସୁବିଧା ନାହିଁ । ଖେଳାଳିଙ୍କୁ ବିଶ୍ରାମ ଦେବା ନୀତି ଉପରେ BCCI ହସ୍ତକ୍ଷେପ କରିବା ଦରକାର । ସମସ୍ତ ଏ ଗ୍ରେଡ ଖେଳାଳିଙ୍କୁ ବିସିସିଆଇ ଭଲ ଅର୍ଥରାଶି ପ୍ରଦାନ କରୁଛି । ସେମାନେ ପ୍ରତି ମ୍ୟାଚ୍ ଖେଳିବା କଥା । ତେବେ ମୋତେ କୁହନ୍ତୁ ଏମିିତି କିଛି କମ୍ପାନୀ ଅଛି ଯାହାର ସିଇଓ ଓ ଏମଡିଙ୍କୁ ଏତେ ଦିନ ଛୁଟି ମିଳୁଛି ବୋଲି କହିଛନ୍ତି ସୁନୀଲ ।
ସେ ଆହୁରି କହିଛନ୍ତି, "ଭାରତୀୟ କ୍ରିକେଟରଙ୍କୁ ଅଧିକ ପେଷାଦାର ହେବାକୁ ହେବ । ଯଦି ତୁମେ ବିଶ୍ରାମ ନେବାକୁ ଚାହୁଁଛ ତେବେ ପାଉଥିବା ଅର୍ଥ ବି କମ କରିବାକୁ ହେବ । ତୁମେ ବିଶ୍ରାମ ନେବାକୁ ଚାହିଁଛ କାରଣ ତୁମେ ଖେଳିବାକୁ ଚାହୁଁନାହଁ । ଜଣେ କିପରି କହିପାରିବ ମୁଁ ଭାରତୀୟ ଦଳ ପାଇଁ ଖେଳିବାକୁ ଚାହୁଁନାହିଁ ।"
ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ 5ଟି ଟି-20 ଖେଳାଯିବ । ଶିଖର ଧାୱନ ଦଳର ନେତୃତ୍ବ ନେବେ । ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିିନିକିଆ ସରିଜ ଜାରି ରହିଛି ।