ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର ଅନୁଯାୟୀ ବର୍ଷ ୨୦୨୨ ଠାରୁ ପ୍ରତିବର୍ଷ କୌଣସି ନା କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କୁ ଦେଖିବାକୁ ମିଳିବ । ୨୦୨୨ରେ ଟି୨୦ ବିଶ୍ବକପ ରହିଥିବାବେଳେ ୨୦୨୩ରେ ରହିଛି ଦିନିକିଆ ବିଶ୍ବକପ (2023 ODI World Cup) । ତେବେ ବିଶ୍ବକପ୍ର ଗୋଟିଏ ସଂସ୍କରଣରୁ ଆଉ ଏକ ସଂସ୍କରଣ ମଧ୍ୟରେ ଏକାଧିକ ଟିମର ନବକଳେବର ହୋଇସାରିଛି । ଅନ୍ୟକିଛି ଟିମର ନେତୃତ୍ବ ବଦଳିବା ସାଙ୍ଗକୁ ନୂଆ ନେତୃତ୍ବ ଉପରେ ଭରଷା କରିଛନ୍ତି ବୋର୍ଡ । ସବୁଠୁ ରୋଚକ କଥା ହେଉଛି, ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ବ୍ୟତୀତ ୨୦୧୯ ODI ବିଶ୍ବକପରେ ଅଂଶଗ୍ରହଣକାରୀ ୧୦ଟି ଟିମର ନେତୃତ୍ବ ନେଇଥିବା ଖେଳାଳି ୨୦୨୩ ବିଶ୍ବକପରେ ସମାନ ଦାୟିତ୍ବରେ ନଜର ଆସିବେନାହିଁ । ଏପରିକି ଅଧିକାଂଶ ଖେଳାଳି ଏହି ଫର୍ମାଟକୁ ଅଲବିଦା କହିସାରିଛନ୍ତି ।
ନଜର ପକାନ୍ତୁ ଏହି ଖେଳାଳିଙ୍କ ଉପରେ...
ଆରୋନ ଫିଞ୍ଚ୍(ଅଷ୍ଟ୍ରେଲିଆ)
ନିକଟରେ କ୍ରିକେଟର ୫୦ ଓଭର ଫର୍ମାଟକୁ ଅଲବିଦା କହିଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ର ଆରୋନ ଫିଞ୍ଚ୍ । ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଶେଷ ମ୍ୟାଚ୍ ଖେଳି ODI ଫର୍ମାଟରୁ ଅବସର ନେଇଛନ୍ତି ଫିଞ୍ଚ୍ । ଲଗାତାର ଖରାଫ ପ୍ରଦର୍ଶନ ପାଇଁ ଫିଞ୍ଚ୍ ଏହି ନିଷ୍ପତି ନେଇଥିବା କୁହାଯାଉଛି । ସେ ଖେଳିଥିବା ଶେଷ ୧୩ଟି ଇଂନିସରୁ ମାତ୍ର ୧୬୯ ରନ୍ କରିବାକୁ ସମର୍ଥ ହୋଇଥିଲେ । ଏପରିକି ଶେଷ ୧୨ଟି ଇଂନିସରୁ ୫ଟି ଇଂନିସରେ ଶୂନରେ ଆଉଟ୍ ହୋଇଥିଲେ । ଶେଷ ୭ଟି ଇଂନିସରୁ ସେ ମାତ୍ର ୨୬ ରନ୍ କରିବାପରେ ସେ କିଛି କଠିନ ନିଷ୍ପତି ନୋଇପାରନ୍ତି ବୋଲି ଆଶା କରାଯାଉଥିଲା ।
ତେବେ ODI ଫର୍ମାଟରେ ଫିଞ୍ଚ୍ଙ୍କ ନାମରେ ୧୭ଟି ଶତକ ଓ ୫୪୦୦ ରନ୍ ରହିଛି । ରିକି ପଣ୍ଟିଂଙ୍କ(୨୯), ଡେଭିଡ ୱାର୍ଣ୍ଣର (୧୮) ଓ ମାର୍କ ୱଙ୍କ ପରେ(୧୮) ଅଷ୍ଟ୍ରେଲୀୟ ଭାବେ ଅନ୍ୟତମ ସର୍ବାଧିକ ଶତକ ହାସଲକାରୀ ଖେଳାଳି ରହିଥିଲେ ଫିଞ୍ଚ୍ । ୫୪ଟି ଦିନିକିଆ ମ୍ୟାଚ୍ରେ ସେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଛନ୍ତି ଓ ସେଥିମଧ୍ୟରେ ୩୦ଟିରେ ଟିମ ବିଜୟୀ ହୋଇଥିଲା । ବଲ୍ ଟାମ୍ପରିଂ ସ୍କାଣ୍ଡାଲ ପରେ ନ୍ୟୁ ନର୍ମାଲ ସନ୍ଧାନରେ ଥିବା ଟିମ ଅଷ୍ଟ୍ରେଲିଆର ନେତୃତ୍ବ ଭାର ଫିଞ୍ଚ୍ଙ୍କୁ ମିଳିଥିଲା । ସେଥିପାଇଁ ତାଙ୍କୁ ଆକ୍ସିଡେଣ୍ଟାଲ କ୍ୟାପଟେନ୍ ବୋଲି ମଧ୍ୟ କ୍ରିକେଟ ମହଲରେ ଚର୍ଚ୍ଚା ହୁଏ । ୨୦୧୯ ODI ବିଶ୍ବକପ ଫିଞ୍ଚ୍ଙ୍କ ନେତୃତ୍ବରେ ଖେଳିଥିଲା ଅଷ୍ଟ୍ରେଲିଆ ।
ମାତ୍ର ୨୦୨୩ ବିଶ୍ବକପରେ ନୂଆ ନେତୃତ୍ବ ସହ ବିଶ୍ବକପରେ ଖେଳିବ କଙ୍ଗାରୁ ଟିମ । ଫିଞ୍ଚ୍ଙ୍କ ପରେ, ଷ୍ଟିଭ ସ୍ମିଥ୍, ଡେଭିଡ ୱାର୍ଣ୍ଣର, ଗ୍ଳେନ ମାକ୍ସୱେଲ ଓ ପାଟ କମିନ୍ସ ଅଧିନାୟକ ଦୌଡରେ ରହିଛନ୍ତି ।
ଇଆନ ମୋର୍ଗାନ(ଇଂଲଣ୍ଡ)
ବର୍ଷ ୨୦୦୯ରେ ଆୟରଲାଣ୍ଡରୁ ଇଂଲଣ୍ଡ ଆସି କ୍ରିକେଟ ଖେଳନ୍ତି ଇଆନ ମୋର୍ଗାନ । ଏହାର ଗୋଟିଏ ଦଶନ୍ଧି ମଧ୍ୟରେ ସେ ବନିଯାଆନ୍ତି ଇଂଲଣ୍ଡର ସର୍ବାଧିକ ମ୍ୟାଚ୍(୧୯୮) ଖେଳିଥବା ଖେଳାଳି । ମୋର୍ଗାନଙ୍କ ନେତୃତ୍ବରେ ୨୦୧୯ ଆଇସିସି ODI ବିଶ୍ବକପ ଖେଳିଥିଲା ଇଂଲଣ୍ଡ ଓ ପ୍ରଥମ ଥର ଘରୋଇ ମାଟିରେ ବିଶ୍ବକପ ଚାମ୍ପିୟନ ହେବାର ସ୍ବାଦ ଚାଖିଥିଲା । ମାତ୍ର ଚଳିତ ବର୍ଷ ଜୁନ୍ ମାସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କୁହନ୍ତି ମୋର୍ଗାନ ।
ସେ ୧୨୬ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଓ ୭୨ଟି ଟି୨୦ ମ୍ୟାଚ୍ରେ ଇଂଲଣ୍ଡରେ ନେତୃତ୍ବ ନେଇଛନ୍ତି । ଉଭୟ ଫର୍ମାଟରେ ୧୧୮ଟି ବିଜୟ କ୍ୟାପଟେନ ଭାବେ ଏକ ରେକର୍ଡ । ୬୯୫୭ ରନ୍ ସହ ଇଂଲଣ୍ଡ ପାଇଁ ସର୍ବାଧିକ ODI ରନ୍ ଓ ଇଂଲଣ୍ଡ ପାଇଁ ସର୍ବାଧିକ ଟି୨୦ ରନ୍(୨୪୫୮) ଓ ଉଭୟ ଫର୍ମାଟରେ ଇଂଲଣ୍ଡ ପାଇଁ ସର୍ବାଧିକ ଛକା ମାରିବାର ରେକର୍ଡ ସହ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କୁହନ୍ତି । ଫଳରେ ଭାରତରେ ଖେଳାଯିବାକୁ ଥିବା ୨୦୨୩ ODI ବିଶ୍ବକପରେ ଖେଳାଳି ଭାବେ ନଜର ଆସିବେନି ମୋର୍ଗାନ ।
ଫାଫ୍ ଡୁପ୍ଲେସିସ୍(ଦକ୍ଷିଣ ଆଫ୍ରିକା)
ICC ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଦୁର୍ଭାଗ୍ୟଶାଳୀ ଟିମ ରହିଛି ଦକ୍ଷିଣ ଆଫ୍ରିକା । ୨୦୧୯ ସଂସ୍କରଣର ବିଶ୍ବକପରେ ଆଇପିଏଲ ଷ୍ଟାର ଫାଫ୍ ଡୁପ୍ଲେସିସଙ୍କୁ ନିଜ ଦେଶର ନେତୃତ୍ବ ଭାର ମିଳିଥିଲା । ପିଲାଦିନର ବନ୍ଧୁ ତଥା ବିଶ୍ବକପର ୨୦୧୫ ସଂସ୍କରଣର ଅଧିନାୟକ ରହିଥିବା କିମ୍ବଦନ୍ତୀ ଏବି ଡି ଭିଲିୟର୍ସଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ଡୁପ୍ଲେସିସ । ODI କ୍ରିକେଟରେ ଏହି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ର ଭାରତ ବିପକ୍ଷରେ ଜାନୁଆରୀ ୨୦୧୧ରେ ଡେବ୍ୟୁ କରିଥିଲେ । ୨୦୧୫ ସଂସ୍କରଣର ସେମିଫାଇନାଲ ଖେଳିଥିବା ଦକ୍ଷିଣ ଆଫ୍ରିକା ଟିମ ପାଇଁ ୩୮୦ ରନ୍ ସଂଗ୍ରହ କରି ଫାଫ୍ ଥିଲେ ଦ୍ବିତୀୟ ସର୍ବାଧିକ ରନ୍ ହାସଲକାରୀ । ମାତ୍ର ସେମିଫାଇନାଲ ମୁକାବିଲାରେ ଶେଷ ଓଭରରେ ୧୨ ରନ୍ ଡିଫେଣ୍ଡ କରିବାକୁ ଡେଲ୍ ଷ୍ଟେନ ଅସମର୍ଥ ହେବାକୁ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ । ଫଳରେ ଆଉଏକ ବିଶ୍ବକପ ଓ ଆଉଏକ ସୁଯୋଗ ହାତଛଡା କରିଥିଲା ଟିମ ।
ଏହାମଧ୍ୟ ପଢନ୍ତୁ: T-20 World Cup: ଭାରତୀୟ ଟିମ୍ ଘୋଷଣା, ଫେରିଲେ ବୁମରା-ହର୍ଷଲ
ପରେ ଡୁପ୍ଲେସିସଙ୍କ ନେତୃତ୍ବରେ ୨୦୧୯ ସଂସ୍କରଣ ବିଶ୍ବକପ ଖେଳିଥିଲା ଦକ୍ଷିଣ ଆଫ୍ରିକା । ମାତ୍ର ଏହି ସଂସ୍କରଣରେ ଟିମର ପ୍ରଦର୍ଶନ ନୈରାଶାଜନକ ରହିଥିଲା । ମୋଟ ୯ଟି ମ୍ୟାଚ୍ରୁ ମାତ୍ର ୩ଟି ଜିତିବାକୁ ସକ୍ଷମ ହୋଇପାରିଥିଲା ଡୁପ୍ଲେସିସଙ୍କ ଟିମ । କିନ୍ତୁ ଫାପ୍ଙ୍କ ବ୍ୟାଟ୍ରୁ କିନ୍ତୁ ରନବର୍ଷା ଜାରି ରହିଥିଲା । ୮ଟି ଇଂନିସରୁ ୩୮୭ ରନ୍ ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସର୍ବାଧିକ ୨୦ଜଣ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ରହିଥିଲେ ଫାଫ୍ ।
ଅଷ୍ଟ୍ରେଲିଆ ବିପକ୍ଷରେ ଏକ ମ୍ୟାଚ୍ ବିଜୟୀ ଶତକୀୟ ଇଂନିସ ମଧ୍ୟ ଖେଳିଥିଲେ । ବର୍ଷ ୨୦୧୯ର ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକା କ୍ରିକେଟର ମଧ୍ୟ ହୋଇଥିଲେ । ମାତ୍ର ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଟିମ ଫେଲ୍ ମାରିଥିଲା । ପରେ ୬ ଜୁଲାଇ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ଓ ୧୭ ଫେବୃଆରୀ ୨୦୨୧ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କ୍ରିକେଟରୁ ଅବସର ନେଇସାରିଥିବାରୁ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ବକପରେ ଖେଳାଳି ଭାବେ ନଜର ଆସିବେନି ଡୁପ୍ଲେସିସ ।
ମସରଫେ ମୋର୍ତାଜା(ବାଂଲାଦେଶ)
ବାଂଲାଦେଶ ପାଇଁ ମସରଫେ ମୋର୍ତାଜା କେବଳ ଜଣେ କ୍ରିକେଟ କ୍ୟାପଟେନ ନୁହଁନ୍ତି । ସେ ଏକ ଇମୋସନ । ଷ୍ଟାର ଅଲରାଉଣ୍ଡର ୧୮ ବର୍ଷ ଧରି ଜାତୀୟ ଟିମର ପ୍ରତିନିଧିତ୍ବ କରିଛନ୍ତି । ୨୨୦ଟି ମ୍ୟାଚ୍ ଖେଳି ୨୭୦ ୱିକେଟ ଓ ୧୫୮ ଇଂନିସରୁ ୧୭୮୭ ରନ୍ ମଧ୍ୟ କରିଛନ୍ତି । ୨୦୧୯ ବିଶ୍ବକପ ମୋର୍ତାଜାଙ୍କ ନେତୃତ୍ବରେ ଖେଳିଥିଲା ବାଂଲାଦେଶ । ମାତ୍ର ସେ କ୍ରିକେଟକୁ ବିଦାୟ କରିସାରିଥିବାରୁ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ବକପରେ ଖେଳାଳି ଭାବେ ନଜର ଆସିବେନି ଷ୍ଟାର ବାଂଲାଦେଶ ଅଲରାଉଣ୍ଡର ।
ବିରାଟ କୋହଲି(ଭାରତ)
ବିରାଟ କୋହଲିଙ୍କ ନେତୃତ୍ବରେ ୨୦୧୯ ODI ବିଶ୍ବକପ ଖେଳିଥିଲା ଟିମ ଇଣ୍ଡିଆ । ଏହି ସଂସ୍କରଣରେ ଭାରତ ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଥିଲା ଓ ବିଶ୍ବକପ ଟ୍ରଫି ବିଜେତା ହେବାର ପ୍ରମୁଖ ଦାବିଦାର ମଧ୍ୟ ଥିଲା । ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ ମ୍ୟାଚ୍ରେ ସବୁକିଛି ଓଲଟପାଲଟ ହୋଇଗଲା । ଭାରତୀୟ ଟିମ ଏହି ମ୍ୟାଚ୍ରେ ପରାସ୍ତ ହେବାସହ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । ତେବେ କୋହଲି ଏବେବି ଭାରତୀୟ ODI ଟିମର ପ୍ରମୁଖ ସଦସ୍ୟ ରହିଥିଲେ ମଧ୍ୟ ଅଧିନାୟକ ଦାୟିତ୍ବରେ ନାହାନ୍ତି । ଫଳରେ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ବକପରେ କ୍ୟାପଟେନ୍ ଭାବେ ନଜର ଆସିବେନି ବିରାଟ କୋହଲି ।
ସର୍ଫରାଜ ଅହମ୍ମଦ(ପାକିସ୍ତାନ)
ସର୍ଫରାଜ ଅହମ୍ମଦଙ୍କ ନେତୃତ୍ବରେ ପାକିସ୍ତାନ ଟିମ ୨୦୧୭ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା । ଫଳରେ ୨୦୧୯ ସଂସ୍କରଣର ODI ବିଶ୍ବକପରେ ଟିମର ନେତୃତ୍ବ ସର୍ଫରାଜଙ୍କୁ ମିଳିଥିଲା । ତେବେ ଟିମ ଆଶାନୂରୁପ ପ୍ରଦର୍ଶନ କରିବାକୁ ବିଫଳ ହୋଇଥିଲା । ଭାରତ ଠାରୁ ବିଶ୍ବକପରେ ପରାସ୍ତ ହେବାପରେ କଡା ସମାଲୋଚିତ ହୋଇଥିଲେ ସର୍ଫରାଜ ଓ ପରେ କ୍ୟାପଟେନ ପଦ ହରାଇଥିଲେ । ଏଯାବତ ପାକିସ୍ତାନ ଟିମର ସଦସ୍ୟ ରହିଥିଲେ ମଧ୍ୟ ଖରାଫ ଫର୍ମ କାରଣରୁ ତାଙ୍କୁ ସ୍କ୍ବାଡ୍ରୁ ବାହାରେ ରହିବାକୁ ପଡିଛି । ଫଳରେ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ବକପରେ ପାକିସ୍ତାନ କ୍ୟାପଟେନ୍ ଭାବେ ନଜର ଆସିବେନି ସର୍ଫରାଜ ଅହମ୍ମଦ ।
ଗୁଲବାଦିନ ନୈବ (ଆଫଗାନିସ୍ତାନ)
ଯୁବ ଅଲରାହଉଣ୍ଡର ଗୁଲବାଦିନଙ୍କୁ ୨୦୧୯ ସଂସ୍କରଣର ODI ବିଶ୍ବକପରେ ଆଫଗାନିସ୍ତାନର ନେତୃତ୍ବ ଭାର ମିଳିଥିଲା । ବୋର୍ଡର ଏହି ନିଷ୍ପତି ସମସ୍ତଙ୍କୁ ଚକିତ କରିଥିଲେ ମଧ୍ୟ ଟିମର ପ୍ରଦର୍ଶନ ଭଲ ରହିଥିଲା । ତେବେ ବର୍ତ୍ତମାନ ସେ ଆଫଗାନ ଟିମର ଅଧିନାୟକ ପଦରୁ ହଟିସାରିଛନ୍ତି । ଅର୍ଥାତ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ବକପରେ ଆଫଗାନିସ୍ତାନ କ୍ୟାପଟେନ୍ ଭାବେ ସେ ନଜର ଆସିବେନି ।
ଜେସନ ହୋଲ୍ଡର(ୱେଷ୍ଟଇଣ୍ଡିଜ)
ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କ ନେତୃତ୍ବରେ ୨୦୧୯ ବିଶ୍ବକପ ଖେଳିଥିଲା କାରବିୟନ ଟିମ । ତେବେ ଇଂଲିସ ମାଟିରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ବିଫଳ ହୋଇଥିଲା । ପରେ ହୋଲ୍ଡରଙ୍କୁ ଅଧିନାୟକ ପଦ ହରାଇବାକୁ ପଡିଛି । ତେବେ ଖେଳାଳି ଭାବେ ଆଗାମୀ ODI ବିଶ୍ବକପରେ ସେ ନଜର ଆସିପାରନ୍ତି ।
ଦିମୁଥ କରୁଣାରତ୍ନେ(ଶ୍ରୀଲଙ୍କା)
ଯେତେବେଳେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଦିମୁଥ କରୁଣାରତ୍ନେଙ୍କୁ ୨୦୧୯ ସଂସ୍କରଣର ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ଅଧିନାୟକ ନିଯୁକ୍ତ କରିଥିଲା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏହି ନିଷ୍ପତି । କାରଣ ୨୦୧୫ ଠାରୁ ୨୦୧୯ ମଧ୍ୟରେ ଟିମ ଖେଳିଥିବା ଅଧିକାଂଶ ODI ମ୍ୟାଚ୍ରେ ନଜର ଆସିନଥିଲେ ସେ । କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ବିଜୟରେ ଖୁସି ହୋଇ ତାଙ୍କୁ ବିଶ୍ବକପରେ ନେତୃତ୍ବ ଭାର ପ୍ରଦାନ କରିଥିଲା ବୋର୍ଡ । ମାତ୍ର ଶ୍ରୀଲଙ୍କା ସମସ୍ତଙ୍କୁ ନିରାଶ କରିଥିଲା । ପରେ କରୁଣାରତ୍ନେ ମଧ୍ୟ ନିଜର ଅଧିନାୟକ ପଦ ହରାଇ ସାରିଛନ୍ତି ।
କେନ ୱିଲିୟମସନ(ନ୍ୟୁଜିଲାଣ୍ଡ)
କେନ୍ ୱିଲିୟମସନ ଏକମାତ୍ର ଖେଳାଳି ଭାବେ ୨୦୨୩ ସଂସ୍କରଣର ବିଶ୍ବକପରେ କ୍ୟାପଟେନ୍ ଭାବେ ନଜର ଆସିପାରନ୍ତି । ୨୦୧୯ ସଂସ୍କରଣର ବିଶ୍ବକପ ୱିଲିୟମସନଙ୍କ ନେତୃତ୍ବରେ ଖେଳିଥିଲା ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସହ ଫାଇନାଲ ମୁକାବିଲା ଖେଳିଥିଲା । ମାତ୍ର ଅଳ୍ପକେ ଚମ୍ପିଆନ ହେବାକୁ ବଞ୍ଚିତ ହେବାସହ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଥିଲା ।
ସଂଗ୍ରାମ କେଶୋରୀ ବେହେରା