ସିଡନୀ: ମୃତ୍ୟୁ ବେଳକୁ ବି ମ୍ୟାଚ୍ ଦେଖୁଥିଲେ, ଶେଷ ନିଶ୍ବାସ ତ୍ୟାଗ କରିବା ବେଳକୁ ସାମ୍ନାରେ ତାଙ୍କର ଟିମ ଥିଲା । ଶରୀର ସିନା ଥାଇଲାଣ୍ଡରେ ଥିଲା, ମାତ୍ର ମନ ନିଜ ଦେଶର ଖେଳାଳିଙ୍କ ସହ ଥିଲା । ପାକିସ୍ତାନର ପିଣ୍ଡି ପଡିଆରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ପାକିସ୍ତାନ ସହ ମ୍ୟାଚ୍ ଖେଳୁଥିଲା ଏପଟେ ହୃଦଘାତରେ ଛଟପଟ ହେଉଥିଲେ କ୍ରିକେଟ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ସ୍ପିନର ସେନ ୱାର୍ଣ୍ଣ ।
ଥାଇଲାଣ୍ଡରେ ଥାଇ ବି ଟେଲିଭିଜନ ପରଦାରେ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିବା ଅଷ୍ଟ୍ରେଲିଆ କ୍ରିକେଟ ଟିମର ଖେଳ ଦେଖୁଥିଲେ । ଯେମିତି ସେ ଜାଣିଥିଲେ ଯେ ଏହା ତାଙ୍କ ଜୀବନର ଶେଷ ମ୍ୟାଚ୍ । ମ୍ୟାଚ୍ ସରିନଥିଲା, ମାତ୍ର ମୃତ୍ୟୁ ଆସି ପ୍ରତିପକ୍ଷ ଟିମର ଅନେକ ଦୁର୍ଦ୍ଦଶ ବ୍ୟାଟ୍ରଙ୍କୁ ଯାଦୁଗରୀ ସ୍ପିନ ଜରିଆରେ ପାଭିଲିୟନ ପଠାଇଥିବା ୱାର୍ଣ୍ଣଙ୍କୁ ଛାତିରେ ଲଗାଇଥିଲା ।
ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ରିକେଟ ସହିତ ଥିଲେ ମହାନ କ୍ରିକେଟର ୱାର୍ଣ୍ଣ । ଅଷ୍ଟ୍ରେଲିଆ ଟିମ ଆଜି ବି ତ ପଡିଆରେ ଖେଳୁଛି, ମାତ୍ର ସେ ନାହାନ୍ତି । ଏମିତି ଶେଷ ହୋଇଛି କ୍ରିକେଟ କିମ୍ବଦନ୍ତୀ କିଙ୍ଗ ଅଫ ସ୍ପିନ୍ ସେନ ୱାର୍ଣ୍ଣଙ୍କ ଇଂନିସ । ଏବେ ବି ସ୍ମୃତିରେ ତାଙ୍କର ବଲ୍ ଅଫ୍ ଦ ସେଞ୍ଚୁରୀ । ଶୁକ୍ରବାର ଥାଇଲାଣ୍ଡରେ ମହାନ ଅଷ୍ଟ୍ରେଲୀୟ କ୍ରିକେଟର ସେନ ୱାର୍ଣ୍ଣଙ୍କ ସନ୍ଦେହଜନକ ହୃଦଘାତରେ ମୃତ୍ୟୁ ହେବାପରେ ଖବରକୁ ଅନେକ ବିଶ୍ବାସ କରିପାରିନଥିଲେ ।
ତେବେ ଶନିବାର ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ମୃତ୍ୟୁର କାରଣ ନେଇ ବଡ ଖୁଲାସା କରିଛନ୍ତି ତାଙ୍କର ବ୍ୟକ୍ତିଗତ ମ୍ୟାନେଜର ଜେମ୍ସ ଏରସକିନ । ସିଡନୀ ମର୍ଣ୍ଣିଂ ହେରାଲ୍ଡକୁ କିମ୍ବଦନ୍ତୀ ସ୍ପିନରଙ୍କ ବିଜନେସ୍ ମ୍ୟାନେଜର କହିଛନ୍ତି, "ୱାର୍ଣ୍ଣ ମଦ୍ୟପାନ କରିଥିଲେ ବୋଲି ହେଉଥିବା ଚର୍ଚ୍ଚା ସତ୍ୟ ନୁହେଁ । ବାସ୍ତବରେ ୱାର୍ଣ୍ଣ ହୃଦଘାତର ଶିକାର ହେବା ସମୟରେ କ୍ରିକେଟ ମ୍ୟାଚ୍ ଦେଖୁଥିଲେ । ଏହାପରେ କିଛି ବନ୍ଧୁଙ୍କୁ ଭେଟିବା ଓ ଡିନର କରିବାର ସୂଚୀ ରହିଥିଲା ।"
ଏହାମଧ୍ୟ ପଢନ୍ତୁ: BREAKING: କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣଙ୍କ ପରଲୋକ
୫୨ ବର୍ଷୀୟ ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ୱାର୍ଣ୍ଣଙ୍କ ପୁରୁଣା ମ୍ୟାନେଜର ଆହୁରି କହିଛନ୍ତି, "ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ସେ ୱାର୍ଣ୍ଣଙ୍କୁ CPR ଦ୍ବାରା ବଞ୍ଚାଇବାକୁ ସମସ୍ତ ପ୍ରୟାସ କରିଥିଲେ । ଅର୍ଥାତ ୱାର୍ଣ୍ଣଙ୍କ ନିଶ୍ବାସ ପ୍ରଶ୍ବାସ ଫେରାଇ ଆଣିବାକୁ ମୁହଁରେ ମୁହଁ ଲଗାଇ ଅମ୍ଳଜାନ ଦେବାକୁ ପ୍ରୟାସ କରିଥିଲେ । ମାତ୍ର ସେଥିରେ ସଫଳ ହୋଇନଥିଲେ । ଆମ୍ବୁଲାନ୍ସ ୨୦ ମିନିଟ୍ ପରେ ପହଞ୍ଚିଥିଲା ଓ ଏହାର ଗୋଟିଏ ଘଣ୍ଟା ପରେ ଥାଇ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସେ ଅତ୍ୟଧିକ ମଦ୍ୟପାନ କରନ୍ତି ନାହିଁ, ୧୦ ବର୍ଷ ତଳେ ଏକ ୱାଇନ ଦିଆଯାଇଥିଲା, ତାହା ସେଠାରେ ଏବେବି ରହିଛି । ଡ୍ରଗ୍ସ ମଧ୍ୟ କେବେ ନିଅନ୍ତି ନାହିଁ ବରଂ ନିଜର ଓଜନ କମ କରିବାକୁ ସେ ଡାଏଟ କରୁଥିଲେ ।"
ପ୍ରକାଶିତ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଐତିହାସିକ ପ୍ରଥମ ଟେଷ୍ଟ ମ୍ୟାଚ୍ ଟେଲିଭିଜନରେ ଚାଲିଥିଲା ଓ ୱାର୍ଣ୍ଣେଙ୍କୁ ଥାଇଲାଣ୍ଡର କୋଇ ସାମୁଇରେ ଥିବା ଏକ ରିସୋର୍ଟରେ ସଂଜ୍ଞାହୀନ ଭାବେ ଦେଖିବାକୁ ମିଳିଥିଲା । ସେ ସେଠାରେ ଛୁଟି ବିତାଉଥିଲେ ଏହାପରେ କମେଣ୍ଟ୍ରୀ ପାଇଁ ସେଠାରୁ ଇଂଲଣ୍ଡ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା ।
IANS