ହାଇଦ୍ରାବାଦ: ରନ ମେସିନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ । ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୮ଟି ମ୍ୟାଚ ଖେଳି କୋହଲି ୧୦୦୦ ରନ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ୪ ଅଙ୍କ ଛୁଇଁବା କଷ୍ଟକର ହୋଇପଡିଥିଲା । ଗତକାଲି ନେଦରଲାଣ୍ଡ ବିପକ୍ଷରେ ଆଇସିସି ଟି ଟ୍ବେଣ୍ଟି ମ୍ୟାଚରେ ୪୪ ବଲରେ ୬୨ ରନ ସଂଗ୍ରହ କରିବା ପରେ ବିରାଟଙ୍କ ଚଳିତ ବର୍ଷ ୧୦୨୪ ରନ ସ୍କୋରରେ ପହଞ୍ଚିଛନ୍ତି ।
ଚଳିତ ବର୍ଷ ବିରାଟ କୋହଲି ୨୮ଟି ମ୍ୟାଚ ଖେଳି ୩୯.୩୮ ହାରରେ ୧୦୨୪ ରନ ସଂଗ୍ରହ କରିଛନ୍ତି । ସେଥି ମଧ୍ୟରେ ଗୋଟିଏ ଶତକ ରହିଥିବା ବେଳେ ଓ ୯ଟି ଅର୍ଦ୍ଧଶତକ ରହିଛି । ଚଳିତ ବର୍ଷ କୋହଲିଙ୍କ ଶ୍ରେଷ୍ଠ ସ୍କୋର ୧୨୨ ରହିଛି । ଏସିଆ କପରେ ଆଫଗାନିସ୍ତାନ ବିପକ୍ଷରେ ସେ ଏହି ଶତକ ହାସଲ କରିଥିଲେ । ଏହା ଥିଲା କୋହଲିଙ୍କ ୭୧ ତମ ଶତକ ।
ଦୁଇ ବର୍ଷ ପୂର୍ବରୁ ବିରାଟ କୋହଲି ଶତକ ହାସଲ କରିବାକୁ ସଂଘର୍ଷ କରୁଥିଲେ, କିନ୍ତୁ ବିଫଳ ହୋଇଥିଲେ । ୨୦୨୦ରେ ୨୨ଟି ମ୍ୟାଚ ଖେଳି ୩୬.୬୦ ହାରରେ ୮୪୨ ରନ ସଂଗ୍ରହ କରିଥିଲେ । ସେଥି ମଧ୍ୟରେ ବିରାଟଙ୍କ ୭ଟି ଅର୍ଦ୍ଧଶତକ ସାମିଲ ଥିଲା । ୨୦୨୦ରେ ତାଙ୍କର ଶ୍ରେଷ୍ଠ ସ୍କୋର ରହିଥିଲା ୮୯ ।
ଏହା ମଧ୍ୟ ପଢନ୍ତୁ-କିଙ୍ଗ୍ ଇଜ୍ ବ୍ୟାକ: T-20 ମାନ୍ୟତା, ଟପ ୧୦କୁ ଫେରିଲେ କୋହଲି
ସେହିପରି ୨୦୨୧ରେ ୨୪ ଟି ମ୍ୟାଚ ଖେଳି ୩୭.୦୭ ହାରରେ ୯୬୪ ରନ କରିବାକୁ ସକ୍ଷମ ହୋଇଥିଲେ କୋହଲି । ବିରାଟଙ୍କ ବ୍ୟାଟରୁ ୧୦ଟି ଅର୍ଦ୍ଧ ଶତକ ସାମିଲ ରହିଥିବା ବେଳେ ଗୋଟିଏ ବି ଶତକ ହାସଲ କରିପାରିନଥିଲେ । ୨୦୨୧ରେ କୋହଲିଙ୍କ ଶ୍ରେଷ୍ଠ ସ୍କୋର ଥିଲା ୮୦ । ୨୦୧୬ରେ ବିରାଟ ୨ ହଜାର ୫୯୫ ରନ, ୨୦୧୭ରେ ୨ହଜାର ୮୧୮ ରନ, ୨୦୧୮ରେ ୨ହଜାର ୭୩୫ ରନ ଓ ୨୦୧୯ରେ ୨ହଜାର ୪୫୫ ରନ ସଂଗ୍ରହ କରିଥିଲେ କୋହଲି । କିଛି ଦିନ ତଳେ ଆଉ ଏକ ରେକର୍ଡ ହାସଲ କରିଥିଲେ କୋହଲି । ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଇନିଂସ ଖେଳିବା ପରେ ସେ ଟି ୨୦ ମାନ୍ୟତାରେ ଟପ ୧୦କୁ ଫେରିଥିଲେ । ୫ଟି ସ୍ଥାନରୁ ଉପରକୁ ଉଠି ସେ ନବମ ସ୍ଥାନରେ ନିଜ ନାମକୁ ପକ୍କା କରିଥିଲେ ।