ସିଡନୀ: ଆଉ କିଛି ସମୟର ଅପେକ୍ଷା । ଅଷ୍ଟ୍ରେଲିଆର ମେଲବେର୍ଣ୍ଣରେ ଖେଳାଯାଉଥିବା ଟି20 ଟୁର୍ଣ୍ଣାମେଣ୍ଟର ଆଜି ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ପ୍ରଥମ ସେମି ଫାଇନାଲ ମ୍ୟାଚରେ କଡ୍ଡା ଟକ୍କର ହେବା ନେଇ ଫ୍ୟାନ୍ସ ଆଶା ରଖିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅପରାହ୍ନ 1ଟା 30ରେ ଆରମ୍ଭ ହେବ ମ୍ୟାଚ୍ । ବିଜେତା ଟିମ୍କୁ ଫାଇନାଲ ମ୍ୟାଚ ପାଇଁ ଟିକେଟ ମିଳିବ । ଏନେଇ ଦୁଇଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପରସ୍ପରକୁ ମାତ୍ ଦେବାକୁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । କିଏ ମାରିବ ବାଜି ତାକୁ ଅପେକ୍ଷା ।
ଉଭୟ ଦଳ ନିକଟରେ ମ୍ୟାଚ ଜିତିବା ଦକ୍ଷତା ରହିଛି । ପୂର୍ବ ରେକର୍ଡକୁ ଦେଖିଲେ ଆଜିର ମୁକାବିଲା ପାକିସ୍ତାନ ସପକ୍ଷରେ ଯାଉଛି । ରେକର୍ଡ ଅନୁସାରେ ପାକିସ୍ତାନ ପଲ୍ଲା ଭାରି ରହିଛି । ବିଶ୍ୱକପରେ ଉଭୟ ଦଳ 3 ଥର ମୁହାମୁହିଁ ହୋଇଛନ୍ତି । ନ୍ୟୁଜିଲାଣ୍ଡ ଥରେ ବି ଜିତିନାହିଁ । ସେପଟେ ପାକିସ୍ତାନ ନାଟକୀୟ ଢଙ୍ଗରେ ସେମିରେ ପ୍ରବେଶ କରିଛି । ନ୍ୟୁଜିଲାଣ୍ଡ ନିଜର ଗ୍ରୁପ ମ୍ୟାଚଗୁଡିକରେ ଏକପାଖିଆ ବିଜୟ ହାସଲ କରିଛି । ଗ୍ରୁପ ବି'ରେ ଥିବା ପାକିସ୍ତାନ ଭାରତ ଓ ଜିମ୍ବାୱେଠୁ ହାରିଲେ ମଧ୍ୟ ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡସ ଓ ବାଂଲାଦେଶଠୁ ବିଜୟ ହାସଲ କରି ସେମିରେ ପ୍ରବେଶ କରିଛି । ବିଶ୍ୱକପ ସେମି ଫାଇନାଲରେ ଦୁଇଦଳ ପୂର୍ବରୁ ସାମ୍ନାସାମ୍ନି ହୋଇଛନ୍ତି । 1992ରେ ନ୍ୟୁଜିଲାଣ୍ଡରେ ଖେଳାଯାଇଥିବା ବିଶ୍ୱକପ ସେମିରେ ପାକିସ୍ତାନ ବିଜୟୀ ହୋଇଥିଲା । ପାକିସ୍ତାନ ବିପକ୍ଷରେ ଦିନିକିଆ ବିଶ୍ୱକପରେ ନ୍ୟୁଜିଲାଣ୍ଡ 1992, 1999 ଓ 2007 ଟି-20ରେ ପରାଜିତ ହୋଇଥିଲା । ଆଜିର ମୁକାବିଲାରେ ପରଜାୟ ଧାରାରେ ବ୍ରେକ ଦେବାକୁ ଲକ୍ଷ୍ୟ ରଖିଛି କିୱି ଟିମ୍ ।
ଏହା ବି ପଢନ୍ତୁ...T20 World Cup: ସେମିରେ ନ୍ୟୁଜିଲାଣ୍ଡଠୁ କେବେ ପରାସ୍ତ ହୋଇନାହିଁ ପାକିସ୍ତାନ, ଦେଖନ୍ତୁ ରେକର୍ଡ
ଉଭୟ ଦଳ ବୋଲିଂ ବିଭାଗ ଶକ୍ତିଶାଳୀ...
ଚଳିତ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବ୍ୟାଟର ଭଲ ପ୍ରଦର୍ଶନ କରି ନାହାନ୍ତି । ବିଶେଷ କରି ପାକ୍ର ଦୁଇ ଓପରନ ମହମ୍ମଦ ରିଜୱାନ ଓ ଅଧିନାୟକ ବାବର ଆଜମ ଫର୍ମରେ ନାହାନ୍ତି । ଯାହାର ଫାଇଦା ନେଇପାରନ୍ତି ନ୍ୟୁଜିଲାଣ୍ଡ ବୋଲର । ଏମାନଙ୍କ ବିଫଳତା ନ୍ୟୁଜିଲାଣ୍ଡ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ । ନ୍ୟୁଜିଲାଣ୍ଡ ଅଧିନାୟକ ପ୍ରଥମରୁ ନହେଲେ ମଧ୍ୟ ଫର୍ମକୁ ଫେରିଛନ୍ତି । ଗ୍ଲେନ୍ ଫିଲିଫ୍ସ ପୂର୍ବ ଦୁଇ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ ଯାହା ଦଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି । ଦଳର ଫାଷ୍ଟ ବୋଲର ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲାଣ୍ଡ ପାଇଁ ଟ୍ରମକାର୍ଡ ସାବ୍ୟସ୍ତ ହୋଇ ପାରନ୍ତି । ପାକିସ୍ତାନର ଫାଷ୍ଟ ବୋଲର ନସୀମ ଶାହ ମଧ୍ୟ ଫର୍ମରେ ରହିଛନ୍ତି । ସେପଟେ ଶାହିନ ଆଫ୍ରିଦି ମଧ୍ୟ ଫର୍ମକୁ ଫେରିଛନ୍ତି ।
ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୨୮ ଥର ଟି୨୦ ମୁକାବିଲା ହୋଇଛି । ଏଥିରେ ସର୍ବାଧିକ ବିଜୟ ରେକର୍ଡ ପାକିସ୍ତାନ ସପକ୍ଷରେ ଯାଇଛି । ୨୮ ଟି ମ୍ୟାଚରୁ ୧୭ ଥର ପାକିସ୍ତାନ ବିଜୟୀ ହୋଇଥିବା ବେଳେ ୧୧ ଥର ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି । ଆସନ୍ତାକାଲି (ଗୁରୁବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯିବ ।