ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ପାଇଁ ବର୍ଷ ୨୦୨୨ ସୂଚୀ ବହୁତ ବ୍ୟସ୍ତବହୁଳ ରହିଥିଲା । ଏସିଆ କପଠାରୁ ଟି୨୦ ବିଶ୍ବକପ ବହୁ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳିଛି ଭାରତ । ଟିମ ଇଣ୍ଡିଆ ଚଳିତ ବର୍ଷ ପ୍ରଶଂସକମାନଙ୍କୁ କିଛି ବିଜୟ ଭେଟି ଦେଇଥିବା ବେଳେ କିଛି ଜାଗାରେ ନିରାଶ ମଧ୍ୟ କରିଛି । ମେନ୍ ଇନ୍ ବ୍ଲୁ ଏବର୍ଷ ଏପର୍ଯ୍ୟନ୍ତ ତିନୋଟି ଫର୍ମାଟରେ ୭୦ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୪୫ ମ୍ୟାଚରେ ବିଜୟ ଲାଭ କରିଛି । ୨୧ ମ୍ୟାଚରେ ପରାଜୟବରଣ କରିଛି ।
୨୦୨୨ରେ ଭାରତର ପ୍ରଦର୍ଶନ
ଚଳିତ ବର୍ଷ ଭାରତ ପ୍ରାୟ ୨୪ ଟି ଦିନିକିଆ ମ୍ୟାଚ ଖେଳିଛି
ଟିମ ଇଣ୍ଡିଆ ବର୍ଷ ୨୦୨୨ ସୂଚୀରେ ଥିବା ସମସ୍ତ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିସାରିଛି । ଭାରତର ଦିନିକିଆ ପ୍ରଦର୍ଶନ ଉପରେ ନଜର ପକାଇଲେ ତାହା ଠିକ୍ଠାକ୍ ରହିଥିଲା । ଗୋଟିଏ ପଟରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା । ସେହିପରି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜକୁ ସେମାନଙ୍କ ଘରୋଇ ମାଟିରେ ସେମାନଙ୍କୁ ପରାଜୟର ସ୍ବାଦ ଚଖାଇବାରେ ସଫଳ ରହିଥିଲା ମେନ୍ ଇନ୍ ବ୍ଲୁ । ଏବର୍ଷ ଟିମ୍ ଇଣ୍ଡିଆ ପ୍ରାୟ ୨୪ ଟି ଦିନିକିଆ ମ୍ୟାଚ ଖେଳିଛି । ସେଥିମଧ୍ୟରୁ ୧୪ ଟି ମ୍ୟାଚରେ ବିଜୟ ହାସଲ କରିଥିଲା ।
ସେହିପରି ୮ ଟି ମ୍ୟାଚରେ ପରାଜୟର ମୁହଁ ଦେଖିଥିଲା ଭାରତ । ଦୁଇଟି ମ୍ୟାଚର ଫଳାଫଳ ବାହାରି ନଥିଲା । ଏହାରି ମଧ୍ୟରେ ଭାରତର ବିଜୟ ପ୍ରତିଶତ ୬୩.୬୦ ରହିଥିଲା । ଚଳିତ ବର୍ଷ ଦିନିକିଆ କ୍ରିକେଟରେ ଭାରତର ସର୍ବାଧିକ ସ୍କୋର ୪୦୯/୮ ରହିଥିଲା । ଯାହା ଭ୍ରମଣକାରୀ ଭାରୀତୟ ଦଳ ବାଂଲାଦେଶକୁ ଘରୋଇ ମାଟିରେ ତୃତୀୟ ଦିନିକିଆରେ ବଡ ଟାର୍ଗେଟ ଦେଇଥିଲା । ଏହି ମ୍ୟାଚରେ ଯୁବ ବ୍ୟାଟର ଇଶାନ କିଶାନ ବିଶ୍ବର ଦ୍ରୁତ ତମ ଦ୍ବିଶତକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ । ସେହିପରି ଭାବରେ ବିରାଟ କୋହଲି ଦୀର୍ଘ ତିନି ବର୍ଷ ପରେ ଦିନିକିଆରେ ଶତକ ହାସଲ କରିବା ସହ ନିଜର ୭୨ ତମ ଶତକ ହାସଲ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡକୁ ଭାଙ୍ଗିଥିଲେ ।
ଏବର୍ଷ ପ୍ରାୟ ୪୦ ଟି ଟି୨୦ ମ୍ୟାଚ ଭାରତ ଖେଳିଛି
ଏବର୍ଷ ଆଇସିସି ମେନ୍ସ ଟି୨୦ ବିଶ୍ବ କପ ଖେଳାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଏଥର ଏସିଆ କପ ମଧ୍ୟ ଟି୨୦ ଫର୍ମାଟରେ ଖେଳାଯାଇଥିଲା । ହେଲେ ଟିମ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟର ବିଷୟ ରହିଥିଲା କି ଏହି ବଡ ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଯାହା ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିବାରେ ଫଳପ୍ରଦ ହୋଇପାରିନଥିଲା ।
କିନ୍ତୁ, ମେନ୍ ଇନ୍ ବ୍ଲୁ ଦ୍ବିପାକ୍ଷିକ ଟି୨୦ ସିରିଜରେ କମାଲ କରିଥିଲା । ୨୦୨୨ରେ ଭାରତ ପ୍ରାୟ ୪୦ ଟି ଟି୨୦ ମ୍ୟାଚ ଖେଳିଛି । ଯେଉଁଥିରେ ୨୮ ଟି ମ୍ୟାଚରେ ବିଜୟ ଲାଭ କରିଥିବା ବେଳେ ୧୦ ଟି ମ୍ୟାଚରେ ପରାସ୍ତ ହୋଇଥିଲା । ଗୋଟିଏ ମ୍ୟାଚ ଟାଇ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ବାହାରି ନଥିଲା । ଏହାରି ମଧ୍ୟରେ ଭାରତର ବିଜୟ ପ୍ରତିଶତ ୭୩.୦୭ ରହିଥିଲା ।
ଏବର୍ଷ ୬ ଟି ଟେଷ୍ଟ ମ୍ୟାଚ ଭାରତ ଖେଳିଛି
ଏବର୍ଷ ଭାରତୀୟ କ୍ରିକେଟ ଟିମ ପାଖାପାଖି ୬ ଟି ଟେଷ୍ଟ ମ୍ୟାଚ ଖେଳିଛି । ଯେଉଁଥିରେ ଭାରତ ତିନୋଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ତିନୋଟିରେ ପରାସ୍ତ ହୋଇଥିଲା । ଏଥିରେ ଭାରତର ବିଜୟ ପ୍ରତିଶତ ୫୦ ରହିଥିଲା । ସେପଟେ ବର୍ଷ ଶେଷରେ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୦ରେ କ୍ଲିନ ସ୍ବିପ କରିଥିଲା ଟିମ୍ ଇଣ୍ଡିଆ ।
ଏବେ ନଜର ପକାନ୍ତୁ ସେହି ମ୍ୟାଚ ଉପରେ ଯେଉଁଥିରେ ଫ୍ୟାନ୍ସ ନିରାଶ ହୋଇଥିଲେ
ଏସିଆ କପ
ଏସିଆ କପରେ ସୁପର ୪ରୁ ଆଗକୁ ବଢିବାରେ ବିଫଳ ରହିଥିଲା ଭାରତ । ଏସିଆ କପର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା । ସେହିପରି ପରବର୍ତ୍ତୀ ମ୍ୟାଚରେ ହଂକଂକୁ ପରାସ୍ତ କରି ସୁପର ୪ରେ ପ୍ରବେଶ କରିଥିଲା ରୋହିତ ଏଣ୍ଡ କୋ । ହେଲେ ସୁପର ୪ରେ ଲାଗିଥିଲା ଭାରତକୁ ବଡ ଝଟକା । ତିନୋଟି ମ୍ୟାଚରୁ ଦୁଇଟି ମ୍ୟାଚରେ ପରାସ୍ତ ହୋଇଥିଲା ଟିମ ଇଣ୍ଡିଆ । ଯେଉଁ କାରଣରୁ ଭାରତ ଏସିଆ କପ ଫାଇନାଲ ଟିକଟ ହାତେଇବାରେ ବିଫଳ ହୋଇଥିଲା । ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିବା ବେଳେ ଆଫଗାନିସ୍ତାନଠାରୁ ବିଜୟ ଲାଭ କରିଥିଲା । ଏସିଆ କପ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟରୁ ଦୀର୍ଘ ୧୦୨୧ ଦିନ ପରେ ଶତକୀୟ ଇନିଂସ ଦେଖିଥିଲେ ଫ୍ୟାନ୍ସ । ଏହା ପୂର୍ବରୁ କୋହଲିଙ୍କୁ ତାଙ୍କ ଫର୍ମକୁ ନେଇ ବହୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଥିଲା ।
ଟି୨୦ ବିଶ୍ବକପ
ଟି୨୦ ବିଶ୍ବକପ ପ୍ରାରମ୍ଭରୁ ଭାରତର ପ୍ରଦର୍ଶନ ଦମଦାର ରହିଥିଲା । ଭାରତର ପ୍ରରମ୍ଭିକ ପ୍ରଦର୍ଶନ ଦେଖିଲେ ଯେମିତି ଲାଗୁଥିଲା ଭାରତ ହିଁ ଟି୨୦ ବିଶ୍ବକପ ୨୦୨୨ର ବିଶ୍ବ ଚମ୍ପିଆନ ହେବ । ଭାରତ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରୁ ଟି୨୦ ବିଶ୍ବକପର ଅଭିଯାନ ଆରମ୍ଭ କରିଥିଲା । ସେଦିନର ମ୍ୟାଚ ନାଟକୀୟ ମୋଡ ନେଇଥିଲା । ବିରାଟ କୋହଲିଙ୍କର ଲଢୁଆ ଇନିଂସ ଭାରତକୁ ବିଜୟ ଦ୍ବାରରେ ପହଁଞ୍ଚାଇ ପାକିସ୍ତାନକୁ ପରାଜୟର ମୁହଁ ଦେଖାଇଥିଲା । ବିରାଟଙ୍କ ଫର୍ମ ଦେଖିଲେ ଏପରି ଲାଗୁଥିଲା ଯେମିତି ସେ ଏକା ହିଁ ବିଶ୍ବକପ ଜିତାଇବାକୁ କାଫି ଥିଲେ । ଆଇସିସି ବିରାଟ କୋହଲିଙ୍କୁ ରାଜା ବୋଲି ସମ୍ବୋନ୍ଧନ କରିଥିଲା । କୋଟି କୋଟି ଭାରତୀୟ ପ୍ରଶଂସକ ୨୦୨୨ ବିଶ୍ବ ବିଜୟୀ ହେବା ନେଇ ସ୍ବପ୍ନ ଦେଖିଥିଲେ ।
ଗ୍ରୁପ ଷ୍ଟେଜରେ ଭାରତ ୫ ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଥିଲା । ଏଇ ମ୍ୟାଚ ଥିଲା ଭାରତ ପାଇଁ ଅଗ୍ନିପରୀକ୍ଷା ସଦୃଶ । ସେମିଫାଇନାଲରେ ଇଂଲିସ୍ ଟିମ ସହିତ ମୁହାଁମୁହିଁ ହୋଇଥିଲା ଭାରତ । ଅଷ୍ଟ୍ରେଲିଆର ଆଡିଲେଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ସେମିଫାଇନାଲ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଏହାର ଜବାବରେ ବଟଲର ବାହିନୀ କୌଣସି ୱିକେଟ ନ ହରାଇ ୧୬ ଓଭରରେ ସହଜରେ ଟାର୍ଗେଟ ହାସଲ କରିନେଇଥିଲା । ଏହା ପରେ ଚୂରମାର ହୋଇଥିଲା କୋଟି କୋଟି ଭାରତୀୟଙ୍କ ବିଶ୍ବକପ ସ୍ବପ୍ନ । ସବୁ ଆଶା ଯେମିତି କିଛି କ୍ଷଣରେ ପାଣି ଫୋଟକା ପରି ମେଳାଇ ଯାଇଥିଲା । ଇଂଲଣ୍ଡଠାରୁ ସେମିଫାଇନାରେ ପରାସ୍ତ ହୋଇ ଭାରତ ବିଶ୍ବକପରୁ ବିଦା ହୋଇଥିଲା ।
ଦକ୍ଷିଣ ଆଫ୍ରିକାଠାରୁ ୩-୦ରେ ପରାସ୍ତ ହୋଇଥିଲା ଭାରତ
ବର୍ଷ ଆରମ୍ଭରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା । ଯେଉଁଥିରେ ଭାରତ ପରାସ୍ତ ହୋଇଥିଲା । ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇନଥିଲା । ରୋହିତ ଶର୍ମାଙ୍କ ବଦଳରେ ଲୋକେଶ ରାହୁଲଙ୍କ ହାତରେ ଦଳର କମାଣ ରହିଥିଲା । ପ୍ରଥମ ଦିନିକିଆ ୩୧ ରନ ଦ୍ବିତୀୟ ଦିନିକିଆରେ ୭ ୱିକେଟ ଏବଂ ତୃତୀୟ ଦିନିକିଆରେ ୪ ରନରେ ପରାସ୍ତ ହୋଇଥିଲା ଭାରତ ।
ବାଂଲାଦେଶଠାରୁ ୭ ବର୍ଷ ପରେ ଦିନିକିଆ ସିରିଜରେ ଭାରତ ପରାସ୍ତ
ବର୍ଷ ଶେଷରେ ଭାରତ ଶେଷ ଦିନିକିଆ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଖେଳିଥିଲା । ଏହି ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ଦୁଇଟି ମ୍ୟାଚରେ ଭାରତ ପରାଜୟର ମୁହଁ ଦେଖିଥିଲା । ତୃତୀୟ ଦିନିକିଆ ମ୍ୟାଚରେ ଭାରତ ୨୨୭ ରନ ବଡ ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଥିଲା ।