ହାଇଦ୍ରାବାଦ: ପୂର୍ବତନ ଭାରତୀୟ ଅଧିନାୟକ ତଥା ଭାରତୀୟ କ୍ରିକେଟ ବୋର୍ଡ (BCCI)ର ସଭାପତି ସୌରଭ ଗାଙ୍ଗୁଲି ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି । ଏହି କ୍ରିକେଟର ତାଙ୍କ କ୍ରିକେଟ କ୍ୟାରିୟରେ ଅନେକ ମାଇଲ ଷ୍ଟୋନ ଛୁଇଁବା ସହିତ, ଅନେକ ସଫଳତା ହାସଲ କରି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
କ୍ରିକେଟ ମୈଦାନରେ ତାଙ୍କର ଶୃଙ୍ଖଳିତ ନେତୃତ୍ବ ପାଇଁ ସେ ବେଶ ପରିଚିତ ଥିଲେ । କୋଲକାତାର ରାଜକୁମାର ଧିରେ ଧିରେ ଜନପ୍ରିୟ ହୋଇ କ୍ରିକେଟ ଜଗତର ଦାଦାଙ୍କ ନାମରେ ଜଣାଗଲେ । ଦାଦା କହିଲେ କେବଳ ସୌରଭ ଗାଙ୍ଗୁଲିଙ୍କୁ ବୁଝାଉଥିଲା । ୧୯୯୭ ମସିହାରେ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚରେ ଲଗାତାର ଚାରି ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ୧୯୯୯ ବିଶ୍ବକପରେ ସୌରଭ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ କରି ଶତକ ହାସଲ କରିଥିଲେ ଏହା ସହିତ ରାହୁଲ ଦ୍ରାବିଡଙ୍କ ସହିତ ପାର୍ଟନରସିପରେ ୩୧୮ ରନ ସଂଗ୍ରହ କରିଥିଲେ ।
୨୦୦୦ ମସିହାରେ ଭାରତୀୟ ଦଳର ଅଧିନାୟକ ଭାବେ ଦାୟିତ୍ବ ନେଇଥିଲେ ସୌରଭ ଗାଙ୍ଗୁଲି । ତାଙ୍କ ଅଧିନାୟକର ଲକ୍ଷ୍ୟ ରହିଥିଲା ନୂଆ କ୍ରିକେଟରଙ୍କୁ ସୁଯୋଗ ଦେବା ଆଉ ନୂଆ ପ୍ରତିଭା ଆବିଷ୍କାର କରିବା । ଗାଙ୍ଗୁଲି ପ୍ରଥମ ଥର ପାଇଁ ୨୦୦୦ ICC ନକ ଆଉଟ ଟ୍ରଫିରେ ଫାଇନାଲ ମ୍ୟାଚରେ ଭାରତ ତରଫରୁ ନେତୃତ୍ବ ନେଇଥିଲେ । ୨୦୦୧ ମସିହାରେ ଭାରତ ଦାଦାଙ୍କ ଅଧିନାୟକତ୍ବରେ ଏକ ମାଇଲଷ୍ଟୋନରେ ପହଁଞ୍ଚିଥିଲା । ବର୍ଡର ଗାଭାସ୍କର ଟ୍ରଫିରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା ।
ସେହିପରି ୨୦୦୨ ମସିହାରେ ଖେଳାଯାଇଥିବା ନେଟୱେଟ ଟ୍ରଫିରେ ଭାରତ ଇଂଲଣ୍ଡକୁ ହରାଇବା ପରେ ଦାଦା ଆତ୍ମହରା ହୋଇ ଲର୍ଡସ ବାଲକୋନୀରେ ତାଙ୍କର ଜର୍ସୀ ବାହାର କରିଥିଲେ । ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୂର୍ହୁର୍ତ୍ତ ରହିଥିଲା । ସେହିପରି ୨୦୦୪ ମସିହାରେ ପାକିସ୍ତାନ ବିପକ୍ଷରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ମଧ୍ୟ ନେତୃତ୍ବ ନେଇଥିଲେ ଦାଦା । ପାକିସ୍ତାନ ମାଟିରେ ପାକିସ୍ତାନକୁ ହରାଇ ଭାରତ ଟେଷ୍ଟ ସିରିଜ ହାତେଇଥିଲା ।
୨୦୦୫-୬ ମସିହାରେ ତତ୍କାଳିନ ପ୍ରଶିକ୍ଷକ ଗ୍ରେଗ ଚୌପନଙ୍କ ସହିତ ଗାଙ୍ଗୁଲିଙ୍କର କିଛି ବିବାଦ ହୋଇଥିଲା ଯାହା ଫଳରେ ଗାଙ୍ଗୁଲିଙ୍କୁ ଭାରତୀୟ ଦଳରୁ କିଛି ଦିନ ପାଇଁ ବିରତି ନେବାକୁ ପଡି ଥିଲା । ସୌରଭ ଗାଙ୍ଗୁଲି ତାଙ୍କ କ୍ରିକେଟ କ୍ୟାରିୟରରେ ୧୬୫ ଟି ମ୍ୟାଚରେ ଭାରତ ତରଫରୁ ନେତୃତ୍ବ ନେଇଛନ୍ତି । ସେଥିରେ ୯୭ ଟି ମ୍ୟାଚ ଜିତି ସଫଳ ହୋଇଥିଲେ ।