ହାଇଦ୍ରାବାଦ : ଆୟେଶା ମୁଖାର୍ଜୀଙ୍କୁ ଆସିଲା ପଟିଆଲା ହାଉସ କୋର୍ଟଙ୍କ ନୋଟିସ । ସେ ତାଙ୍କ ସ୍ବାମୀ ଶିଖର ଧାୱନଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶିଖର ଧାୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଧାୱନଙ୍କ ନାମରେ ଆପତ୍ତିଜନକ ବୟାନ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ଷ୍ଟାର ବ୍ୟାଟର ଶିଖର ଧାୱନ ଓ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ଛାଡପତ୍ର ନେଇ କୋର୍ଟରେ ମାମଲା ଚାଲିଛି । ତେବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ଜାରି ରହିଥିବା ବେଳେ, ଶିଖର ଧାୱନ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ଯେ ତାଙ୍କ ପତ୍ନୀ ଆୟେଶା ତାଙ୍କର ଚରିତ୍ର ସଂହାର କରୁଛନ୍ତି । ତେବେ ଏହି ମାମଲାରେ କୋର୍ଟ ରାୟ ଶୁଣାଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆୟେଶା ମୁଖାର୍ଜୀଙ୍କୁ ଧାୱନଙ୍କ ନାମରେ ବିବାଦୀୟ ବୟାନ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀ ଉଭୟ ବର୍ଷ ୨୦୨୦ରୁ ଅଲଗା ରହି ଆସୁଛନ୍ତି । ଧାୱନଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଅଷ୍ଟ୍ରେଲିଆର ନାଗରିକ । ଉଭୟଙ୍କ ବିବାହ ବର୍ଷ ୨୦୧୨ରେ ହୋଇଥିଲା । ବିବାହ ପୂର୍ବରୁ ଧାୱନ ଓ ଆୟେଶା ପରସ୍ପରକୁ ଡେଟ୍ କରୁଥିଲେ । ଶିଖର ଧାୱନଙ୍କୁ ଆୟେଶା ଦ୍ବିତୀୟ ବିବାହ କରିଥିଲେ । ଏହା ପୂର୍ବରୁ ଆୟେଶା ଦୁଇଟି କନ୍ୟା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ । ସେପଟେ ୨୦୧୨ ରେ ଶିଖର ଧାୱନଙ୍କୁ ବିବାହ ପରେ ବର୍ଷ ୨୦୧୪ ରେ ଆୟେଶା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାର ନାମ ରଖାଯାଇଥିଲା ଜୋରାବର । ତେବେ ବିବାବହର କିଛି ଦିନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା । ହେଲେ ବର୍ଷ ୨୦୨୦ରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । କଥା ଅଧିକ ବଢି ଥିବା ବେଳେ ଉଭୟ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ପରସ୍ପରଠୁ ହୋଇ ଅଲଗା ରହିଥିଲେ । ତେବେ ପୁଅ ଜୋରାବର ଆୟେଶାଙ୍କ ସହିତ ରହୁଛନ୍ତି ।
ଆୟେଶା ମୁଖାର୍ଜୀଙ୍କ ବିରୋଧରେ ଧାୱନ ପଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଧାୱନ ଏଥିରେ କହିଥିଲେ ଯେ ତାଙ୍କଠାରୁ ଅଲଗା ରହିଥିବା ପତ୍ନୀ ତାଙ୍କର ଚରିତ୍ର ସଂହାର କରିବା ସହିତ କ୍ୟାରିଅର ବରବାଦ କରିବାକୁ ଧମକ ଦେଉଛନ୍ତି । ତେବେ କୋର୍ଟର ବିଚାରପତି ଆୟେଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେ ଧାୱନଙ୍କ ବିରୋଧରେ ସୋସିଆଲ ମିଡିଆ, ପ୍ରିଣ୍ଟ ମିଡିଆ, ସାଙ୍ଗସାଥୀ ଏବଂ ସମ୍ପର୍କୀୟଙ୍କ ସମେତ କୌଣସି ବ୍ୟକ୍ତି କିମ୍ବା ସ୍ଥାନରେ ତାଙ୍କ ବିରୋଧରେ ଅପମାନଜନକ ଏବଂ ମିଥ୍ୟା ଖବର ପ୍ରଚାର କରିବେ ନାହିଁ । ଏହା ସହିତ ବିଚାରପତି ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କୁ ନିଜ ନିଜର ସ୍ବାଭିମାନ ବହୁତ ଗୁରୁତ୍ବପୂର୍ଣ୍ଣ । ସମାଜରେ ସମ୍ମାନ ଏବଂ ନାମ କମାଇବାକୁ ସମୟ ଲାଗିଥାଏ । ସେଥିପାଇଁ କାହା ବିରୋଧରେ ଆପତ୍ତିଜନକ ବୟାନ ଦେବା ଠିକ୍ ନୁହଁ ।