ଢାକା: ପୂର୍ବତନ ବାଂଲାଦେଶ କ୍ୟାପଟେନ ସାକିବ ଅଲ ହାସନଙ୍କ ପିଛା ଛାଡୁନି ବିବାଦ । ଅମ୍ପାୟରଙ୍କ ନିଷ୍ପତ୍ତିରେ ନାଖୁସ ଜାହିର କରିବା ସହ ଷ୍ଟମ୍ପ୍କୁ ଗୋଇଠା ମାରି ପୁଣି ବିବାଦରେ ବାଂଲାଦେଶ ଅଲରାଉଣ୍ଡର । ଏହି ଘଟଣା ଢାକା ପ୍ରିମିୟର ଲିଗ(DPL)ର ଏକ ମ୍ୟାଚରେ ଘଟିଛି ।
ଶୁକ୍ରବାର ଖେଳାଯାଉଥିବା ଡିପିଏଲର ଏକ ମ୍ୟାଚ୍ରେ ଅମ୍ପାୟରଙ୍କ ନିଷ୍ପତ୍ତି ସାକିବଙ୍କ ଟିମ ସପକ୍ଷରେ ଯାଇନଥିଲା । ଏଥିରେ ରାଗିଯାଇଥିଲେ ସାକିବ । ପ୍ରଥମେ ଅମ୍ପାୟରଙ୍କ ସହ ଏନେଇ ଯୁକ୍ତି କରିଥିଲେ ଓ ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଗୋଡରେ ଷ୍ଟମ୍ପ୍ ଭାଙ୍ଗିଦେଇଥିଲେ । ଏତିକିରେ ଶାନ୍ତ ହୋଇନଥିଲା ସାକିବଙ୍କ ରାଗ । ଷ୍ଟମ୍ପ୍ରୁ ଓପାଡି ତଳେ ପକାଇଦେଇଥିଲେ । କିଛି ସମୟ ମଧ୍ୟରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ଫ୍ୟାନ୍ସ ଅମ୍ପାୟରଙ୍କ ପ୍ରତି ସାକିବଙ୍କ ଅଶୋଭନୀୟ ବ୍ୟବହାରକୁ ସମାଲୋଚନା କରିଛନ୍ତି ।
ବାଂଲାଦେଶ କ୍ରିକେଟ ବୋର୍ଡର ନିର୍ଦ୍ଦେଶକ ଖାଲିଦ ମହମୁଦଙ୍କ ସହ ମଧ୍ୟ ସାକିବଙ୍କ କିଛି କଥା କଟାକଟି ହୋଇଥିଲା ।
ତେବେ ମ୍ୟାଚ୍ ପରେ ଷ୍ଟାର ଅଲରାଣ୍ଡର ନିଜର ଅନୁଚିତ୍ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗତବର୍ଷ ଆଇସିସିର ଦୁର୍ନୀତି ନିରୋଧ ଧାରାର ଉଲ୍ଲଙ୍ଘନ କରି 12 ମାସ କ୍ରିକେଟରୁ ବାସନ୍ଦ ହୋଇଥିଲେ ସାକିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ