କୋଲକାତା: ଭାରତୀୟ କ୍ୟାପଟେନ ରୋହିତ ଶର୍ମା ରବିବାର ବିରାଟ କୋହଲିଙ୍କ ଏହ ବିରଳ ରେକର୍ଡକୁ ଭଙ୍ଗ କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ୫୦ରୁ ଅଧିକ ବ୍ୟକ୍ତିଗତ ରନ୍ ରେକର୍ଡର ଅଧିକାରୀ ହୋଇଛନ୍ତି ରୋହିତ ଶର୍ମା ।
ପୂର୍ବରୁ ଏହି ରେକର୍ଡ କୋହଲିଙ୍କ ନାମରେ ରହିଥିଲା । ଇଡେନ ଗାର୍ଡେନ କୋଲକାତାରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଏହି ସଫଳତା ହାସଲ କରିଛନ୍ତି ରୋହିତ । ଏହି ମ୍ୟାଚ୍ରେ ରୋହିତ ଟି-୨୦ କ୍ରିକେଟରେ ୩୦ ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଫଳରେ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବା ବିରାଟଙ୍କ ଅନ୍ତର୍ଜାତୀୟ ଟି-୨୦ ଅର୍ଦ୍ଧଶତକ ସଂଖ୍ୟାକୁ ଟପିଯାଇଛନ୍ତି ରୋହିତ ।
୯୫ଟି ମ୍ୟାଚ୍ରୁ ୫୨.୦୪ ଆଭରେଜରେ ୨୯ ଅର୍ଦ୍ଧଶତକ ସହ କୋହଲି ୩୨୨୭ ରନ୍ ସଂଗ୍ରହ କରି ବର୍ତ୍ତମାନ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଟି-୨୦ ବିଶ୍ବକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନ ପଦରୁ ଓହରି ଯାଇଥିଲେ କୋହଲି ।
ଏହାପରେ ଅଭିଜ୍ଞ ଓପନର ରୋହିତଙ୍କୁ ଭାରତୀୟ ଟି-୨୦ ଟିମର ପୂର୍ଣ୍ଣକାଳୀନ କ୍ୟାପଟେନ ଭାର ମିଳିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜପୂର୍ଣ୍ଣକାଳୀନ କ୍ୟାପଟେନ ଭାବେ ରୋହିତଙ୍କ ପ୍ରଥମ ସିରିଜ । ୩ଟିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ବିଜୟ ସହ ଆଗୁଆ ସିରିଜ ଜିତିସାରିଥିବା ଟିମ ଇଣ୍ଡିଆ କୋଲକାତାରେ କ୍ଳିନ ସୁଇପ ଲକ୍ଷ୍ୟରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ