ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ରମେଶ ପାୱାରଙ୍କୁ ମିଳିଲା ନୂଆ ଗୁରୁ ଦାୟିତ୍ବ । ଭାରତୀୟ ମହିଳା ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ନିଯୁକ୍ତ ହେଲେ ରମେଶ ପାୱାର । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦେଇଛି । ଏହି ଦାୟିତ୍ବ ନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ 35 ଜଣ ପୂର୍ବତନ କ୍ରିକେଟର ଏହି ପଦବୀ ପାଇଁ ଆବେଦନ କରିଥିଲେ ।
ଏହି ପଦବୀକୁ ନେଇ ପୂର୍ବତନ କ୍ରିକେଟର ସୁଲକ୍ଷଣା ନାଇକ, ମଦନ ଲାଲ ଓ ରୁଦ୍ର ପ୍ରତାପ ସିଂହଙ୍କୁ ନେଇ ଏକ କମିଟି ତିଆରି ହୋଇଥିଲା । ଏହି କମିଟି ଆବେଦନ କରିଥିବା ସମସ୍ତ 35 ଜଣକ ସାକ୍ଷାତକାର ନେଇଥିଲେ । ଏହାପରେ ସର୍ବସମ୍ମତି କ୍ରମେ ରମେଶ ପାୱାରଙ୍କୁ ଏହି ଦାୟିତ୍ବ ଦେବାକୁ ନିଷ୍ପତ୍ତି ହୋଇଥିଲା ।
ଭାରତ ପକ୍ଷରୁ ଦୁଇଟି ଟେଷ୍ଟ ଓ 31ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ରମେଶ ପାୱାର । ଏହାସହ ସେ 2018 ମସିହା ଜୁଲାଇ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଏହି ଦାୟିତ୍ବ ନେଇ ସାରିଛନ୍ତି । ପାୱାରଙ୍କ ତତ୍ତ୍ବାବଧାନରେ ଭାରତୀୟ ମହିଳା କ୍ରିକେଟ ଟିମ 2018 ଆଇସିସି ଟି-20 ବିଶ୍ବକପରେ ସେମିଫାଇନାଲରେ ପହଞ୍ଚି ପାରିଥିଲା। । ସେହି ସମୟରେ ଭାରତ ଲଗାତାର 14ଟି ଟି-20 ମ୍ୟାଚ ବିଜୟୀ ହୋଇଥିଲା ।
ଖାଲି ସେତିକି ନୁହେଁ ପାୱାର ନିକଟ ଅତୀତରେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଦଳର କୋଚିଂ ଦାୟିତ୍ବ ନେଇଥିଲେ । ଏହାସହ ଜାତୀୟ କ୍ରିକେଟ ଏକାଡେମୀରେ ବୋଲିଂ କୋଚ ଭାବରେ ଦାୟିତ୍ବ ତୁଲାଇ ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ