ହାଇଦ୍ରାବାଦ: ରୋହିତ ଶର୍ମା ଭାରତୀୟ କ୍ରିକେଟ ଟିମର ଜଣାଶୁଣା ଚେହେରା । କ୍ରିକେଟ ପ୍ରେମୀଙ୍କ ହୃଦୟରେ ଘର କରିଥିବା ନାଁ ରୋହିତ ଶର୍ମା। କିଛି କରିବାକୁ ହେଲେ ଅନେକଙ୍କୁ ସଂଘର୍ଷ କରିବାକୁ ପଡେ । ଆଉ ଏହାପରେ ଜୀବନରେ ଯୋଡି ହୋଇଯାଏ ସଂଘର୍ଷର ପୃଷ୍ଠା । ଅନେକ ସଫଳ ବ୍ୟକ୍ତି ଏହି ତାଲିକାରେ ରହିଥିବା ନଜରକୁ ଆସିଛି । ସଂଘର୍ଷ ବିନା ସଫଳତା ମିଳିବା ସମ୍ଭବ ନୁହେଁ । ସେମିତି କିଛି ବ୍ୟକ୍ତିତ୍ବ ମଧ୍ୟରେ ରୋହିତ ଶର୍ମା ଜଣେ । କ୍ରିକେଟରରୁ ଦଳର ଅଧିନାୟକ ହେବା ଲୋକେ ହିଟମ୍ୟାନ ଭାବେ ପରିଚୟ ହାସଲ କରିବା ରୋହିତଙ୍କ ପାଇଁ ସହଜ ନଥିଲା । ରୋହିତ ମଧ୍ୟ ସଂଘର୍ଷ ପଥରେ ପଥିକ ହୋଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କ୍ରିକେଟ କିଟ୍ କିଣିବାକୁ ରୋହିତ କ୍ଷୀର ପ୍ୟାକେଟ ବିକ୍ରି କରିଥିଲେ । ଏକ ସାକ୍ଷାତକାରରେ ରୋହିତଙ୍କ ସଂଘର୍ଷ ବିଷୟରେ କହିଛନ୍ତି ପୂର୍ବତନ ସାଥୀ ଖେଳାଳି ପ୍ରଜ୍ଞାନ ଓଝା ।
ଭାରତୀୟ କ୍ରିକେଟର ଅଧିନାୟକ ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ବନ୍ଧୁ ବୋଲି କହିଛନ୍ତି ଓଡିଆ ସ୍ପିନର ପ୍ରଜ୍ଞାନ ଓଝା । ରୋହିତଙ୍କ ବିଷୟରେ କହି ସେ କହିଛନ୍ତି, ''ରୋହିତ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ପିଲାଦିନେ ରୋହିତଙ୍କ ପାଇଁ କ୍ରିକେଟ ଖେଳିବା ସହଜ ନଥିଲା । ସେ ଏକ ସାଧାରଣ ପରିବାରୁ ଆସିଥିବାରୁ ତାଙ୍କ ପାଖରେ କ୍ରିକେଟ କିଟ୍ ବା ସରଞ୍ଜାମ କିଣିବାକୁ ପଇସା ନଥିଲା । ତେଣୁ ପିଲାଦିନେ ସେ ଘରଘର ବୁଲି କ୍ଷୀର ପ୍ୟାକେଟ ବିକ୍ରି କରିଥିଲେ । ସେଥିରୁ ଯେତିକି ରୋଜଗାର ହେଉଥିଲା ସେଥିରୁ କ୍ରିକେଟ କିଟ କିଣିଥିଲେ ରୋହିତ ।''
ପ୍ରଜ୍ଞାନ ଓଝା ଆହୁରି କହିଛନ୍ତି, ''15 ବର୍ଷରୁ ଆମେ ଦୁଇ ବନ୍ଧୁ । ଏକାଠି ଦୁଇଜଣ ଭାରତ ପାଇଁ ଖେଳିଛୁ । ପରବର୍ତ୍ତୀ ସମୟରେ ଆଇପିଏଲର ପ୍ରଥମ ସଂସ୍କରଣରେ ଡେକାନ ଚାର୍ଜସ ପାଇଁ ଏକାଠି ଖେଳିଥିଲୁ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଏକାଠୀ ଖେଳିଛୁ । 15 ବର୍ଷରୁ ଜାତୀୟ ଶିବିରରେ ଦୁହେଁ ଥିଲୁ। ଅଭ୍ୟାସ ମ୍ୟାଚରେ ମୁଁ ରୋହିତଙ୍କୁ ଆଉଟ କରିଥିଲି । ରୋହିତ କମ କଥା ହେଉଥିଲେ । ମାତ୍ର ଖେଳିବା ସମୟରେ ତାଙ୍କ ବ୍ୟାଟ ଗର୍ଜନ କରୁଥିଲା । ଧୀରେଧୀରେ ଆମର ବନ୍ଧୁତା ବଢିଥିଲା । ରୋହିତ ଏକ ମଧ୍ୟବିତ ପରିବାରରୁ ଆସିଥିଲେ । ଦିନ ମୋ ସହ କଥା ହେବା ସମୟରେ କ୍ରିକେଟ ସାମଗ୍ରୀ କିଣିବାକୁ ତାଙ୍କ ପାଖରେ ପଇସା ନଥିଲା । ତେଣୁ ସେ ଘରଘର ବୁଲି କ୍ଷୀର ପ୍ୟାକେଟ ବିକ୍ରି କରିଥିଲେ ଏବଂ ସେହି ପଇସାରେ କ୍ରିକେଟ ସରଞ୍ଜାମ କିଣିଥିଲେ । ଏବେ ରୋହିତ ଶର୍ମାଙ୍କୁ ଦେଖି ଖୁସି ଲାଗୁଛି ।''
2013 ଓ 2015 ଆଇପିଏଲ ବିଜେତା ମୁମ୍ବାଇର ସଦସ୍ୟ ଥିଲେ ଉଭୟ । ପ୍ରଜ୍ଞାନ ବର୍ତ୍ତମାନ ଆଇପିଏଲ ପରିଚାଳନା ପରିଷଦର ସଦସ୍ୟ ଅଛନ୍ତି । ରୋହିତ ଶର୍ମା ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ । 5 ଥର ଆଇପିଏଲ ଚାମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ କମାଣ ମଧ୍ୟ ରୋହିତଙ୍କ ହାତରେ । 2007ରେ ଭାରତ ପାଇଁ ଖେଳିଥିଲେ ରୋହିତ ଶର୍ମା । 2010ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ରୋହିତ । ଦିନିକିଆରେ ରୋହିତଙ୍କ ନାମରେ 30ଟି ଶତକ ସହ 9825 ରନ ସଂଗ୍ରହ କରିଛନ୍ତି ।