ଲଣ୍ଡନ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡଠାରୁ ପରାଜିତ ହୋଇଛି । ଚତୁର୍ଥ ଦିନ ଖେଳ ଆରମ୍ଭ ହେବାପରେ ଗୋଟିଏ ସେସନ ମଧ୍ୟ ଭାରତୀୟ ବ୍ୟାଟସମ୍ୟାନ ବ୍ୟାଟିଂ କରି ପାରିନଥିଲେ । ଓଲି ରବିନସନ ୫ଟି ୱିକେଟ ନେଇ ଭାରତୀୟ ବ୍ୟାଟିଂ ଅର୍ଡର ଧ୍ବସ୍ତ କରି ଦେଇଥିଲେ । ଯାହାଫଳରେ ଇଂଲଣ୍ଡ ଗୋଟିଏ ଇନିଂସ ୭୬ ରନରେ ବିଜୟୀ ହୋଇଥିଲା । ତେବେ ଏହି ମ୍ୟାଚରେ ବିରାଟ କୋହିଲଙ୍କୁ ଆଉଟ କରିବାକୁ ଏକ ସାମାନ୍ୟ ଯୋଜନା କରିଥିଲେ ଓଲି ରବିନସନ ।
ଇଂଲଣ୍ଡ ପକ୍ଷରୁ ଏହା ଓଲି ରବିନସନଙ୍କ ପ୍ରଥମ ଟେଷ୍ଟ ସିରିଜ । ତେବେ ଏହାପୂର୍ବରୁ ସେ ଦଳର ଅଭିଜ୍ଞ ଜେମସ ଆଣ୍ଡରସନଙ୍କ ଅଭ୍ୟାସ କରିଥିଲେ । କିଭଳି ଭଲ ପ୍ରଦର୍ଶନ କରି ପାରିବେ ସେନେଇ ଟିପ୍ସ ନେଇଥିଲେ । ଯାହାଫଳରେ ସେ ତୃତୀୟ ଟେଷ୍ଟରେ ୫ଟି ୱିକେଟ ନେଇ ଇଂଲଣ୍ଡକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ଏହାକୁ ନେଇ ସେ ଖୁସି ଜାହିର କରିଛନ୍ତି ।
ତେବେ କୋହଲିଙ୍କୁ ଆଉଟ କରିବାକୁ ବେଶି କିଛି ଭାବିନଥିଲେ ବୋଲି କହିଛନ୍ତି ଓଲି ରବିନସନ । ଓଲି ରବିନସନଙ୍କ ଗୋଟିଏ ଓଭରରେ ଲଗାତାର ଦୁଇଟି ଚୌକା ମାରିଥିଲେ କୋହଲି । ଏହାପରେ ସେ ଓଭର ଦି ୱିକେଟରୁ ଏକ ଆଙ୍ଗେଲ ତିଆରି ବଲକୁ ଅଫ ଷ୍ଟମ୍ପ ବାହାରେ ରଖିବାକୁ ଚେଷ୍ଟା କରିଥିଲେ । ତାଙ୍କ ବିଶ୍ବାସ ଥିବା ଏହି ବଲ ଦ୍ବାରା କୋହଲି ସ୍ଲିପରେ କ୍ୟାଚ ଦେବେ କିମ୍ବା ୱିକେଟ କିପର ହାତକୁ କ୍ୟାଚ ଦେବେ । ଓଲିଙ୍କ ଅନୁମାନ ମଧ୍ୟ ସଠିକ ସାବ୍ୟସ୍ତ ହୋଇଥିଲା । ରବିନସନଙ୍କ ବଲରେ କୋହଲି ଅଫ ଷ୍ଟମ୍ପ ବାହାରର ବଲ୍ ଖେଳି ରୁଟଙ୍କ ହାତକୁ କ୍ୟାଚ ଦେଇଥିଲେ । ଆଉ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ ଜୋ ରୁଟ୍ । ଫଳରେ ଭାରତ ୨୩୭ ରନରେ ଚତୁର୍ଥ ବହୁମୂଲ୍ୟ ୱିକେଟ ହରାଇଥିଲା ।
ତୃତୀୟ ଦିନରେ ୨୧୫ ରନ କରି ଦୁଇ ୱିକେଟ ହରାଇଥିବା ଭାରତୀୟ ଦଳ ଏଭଳି ପ୍ରଦର୍ଶନ କରିବ ବୋଲି ଭାରତୀୟ କ୍ରିକେଟ ଫ୍ୟାନ ଆଶା ରଖିନଥିଲେ । ଭାରତ ଗୋଟିଏ ସେସନ ମଧ୍ୟ ଖେଳି ପାରିନଥିଲା । ଲଞ୍ଚ ପୂର୍ବରୁ ଭାରତ ଇଂଲଣ୍ଡ ବୋଲର ଆଗରେ ଆତ୍ମସମର୍ପଣ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ