ଦୁବାଇ: ସ୍କଟଲାଣ୍ଡକୁ ୧୭୩ ରନ୍ ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସ୍କଟଲାଣ୍ଡ । ଆରମ୍ଭରୁ ସ୍କଟଲାଣ୍ଡ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ୪ ଓଭର ଗୋଟିଏ ବଲରେ ନ୍ୟୁଜିଲାଣ୍ଡର ଦଳୀୟ ସ୍କୋର ୩୫ ରନ୍ ହୋଇଥିଲା । ଏହି ସମୟରେ ଓପନର ଡାରିଲ ମିଚେଲଙ୍କୁ ଆଉଟ କରିଥିଲେ ସାଫିୟାନ ସରିଫ । ଅଧିନାୟକ କେନ ୱିଲିୟମସନ ଖାତା ଖୋଲିବା ପୂର୍ବରୁ ତାଙ୍କୁ ପାଭେଲିୟନ ରାସ୍ତା ଦେଖାଇଥିଲେ ସାଫିୟାନ ସରିଫ ।
ଏହାପରେ ଡେଭନ କନୱେ ମଧ୍ୟ କେବଳ ଏକ ରନ୍ ହିଁ ଖାତାରେ ଯୋଡ଼ି ପାରିଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ହରାଉଥିବା ବେଳେ ଅନ୍ୟପଟେ ମାର୍ଟିନ ଗୁପ୍ଟିଲ ଆକ୍ରଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ଗ୍ଲେନ ଫିଲିପ ଓ ମାର୍ଟିନ ଗୁପ୍ଟିଲଙ୍କ ମଧ୍ୟରେ ଏକ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ଫଳରେ ଗୋଟିଏ ସମୟରେ ୫୨ ରନ୍ରେ ୩ଟି ୱିକେଟ ହରାଇଥିବା ଦଳର ସ୍କୋର ୧୬୯ ହୋଇ ପାରିଥିଲା । ତେବେ ୧୯ତମ ଓଭରରେ ଗ୍ଲେନ ଫିଲିପ୍ ମଧ୍ୟ ୩୩ ରନ୍ କରି ଆଉଟ ହୋଇଥିଲେ । ତାଙ୍କ ପଛକୁ ମାର୍ଟିନ ଗୁପ୍ଟିଲ ମଧ୍ୟ ଆଉଟ ହୋଇଥିଲେ ।
ଆଉଟ ହେବାପୂର୍ବରୁ ଧୂଆଁଦାର ୯୩ ରନ୍ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲ । ଶେଷ ବେଳକୁ ଜେମ୍ସ ନିଷମ କେତୋଟି ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇନଥିଲେ । ସେ ମାତ୍ର ୧୦ ରନ୍ ହିଁ କରି ପାରିଥିଲେ । ମିଚେଲ ସାଣ୍ଟନର ମଧ୍ୟ ଦୁଇ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୫ ୱିକେଟ ବିନିମୟରେ ୧୭୨ ରନ୍ କରିଛି । ଏହି ବିଜୟ ଲକ୍ଷ୍ୟକୁ ନେଇ ସ୍କଟଲାଣ୍ଡ କିଭଳି ବ୍ୟାଟିଂ କରିବ ତାହାରି ଉପରେ ସଭିଁଙ୍କ ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ