ଲାହୋର: ପାକିସ୍ତାନ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍ ପଦ ଛାଡିଲେ ମିଶବାହ-ଉଲ-ହକ୍ । ବୋଲିଂ କୋଚ୍ ୱାକର ୟୁନିସ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ସକାଳେ ଉଭୟ ନିଜର ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(PCB)କୁ ଜଣାଇଛନ୍ତି ।
ସେପ୍ଟେମ୍ବର ୧୧ରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ନ୍ୟୁଜିଲାଣ୍ଡ ଟିମ ପାକିସ୍ତାନ ପହଞ୍ଚିବାର ସୂଚୀ ରହିଛି । ପାକିସ୍ତାନ ଟିମ ମଧ୍ୟ ସେପ୍ଟେମ୍ବର ୮ ସୁଦ୍ଧା ଇସଲାମାବାଦରେ ପହଞ୍ଚିବ । ଏହି ସିରିଜକୁ ଦୃଷ୍ଟିରେ ରଖି ପାକିସ୍ତାନ କ୍ରିକେଟ ବୋର୍ଡ ସକଲେନ ମୁସ୍ତାକ ଓ ଅବଦୁଲ ରଜାକଙ୍କୁ ଅନ୍ତରୀଣ କୋଚ୍ ନିଯୁକ୍ତ କରିଛି ।
ସେପ୍ଟେମ୍ବର ୨୦୧୯ରେ ମିଶବାହ ଓ ୱାକର କୋଚ୍ ଦାୟିତ୍ବ ସମ୍ଭାଳିଥିଲେ । ଚୁକ୍ତି ଅନୁଯାୟୀ ଆହୁରି ଗୋଟିଏ ବର୍ଷ ସମୟ ବାକି ରହିଥିବା PCB ପକ୍ଷରୁ କୁହାଯାଉଛି । ମାତ୍ର ଆଗାମୀ ICC ପୁରୁଷ ଟି୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟକୁ କିଛି ମାସ ବାକି ଥିବାବେଳେ ମୁଖ୍ୟ କୋଚ୍ ମିଶବାହ ପଦ ଛାଡିବା ଟିମ ପାଇଁ ବଡ ଝଟକା ବୋଲି କୁହାଯାଉଛି । ଏବେ ଅନ୍ତରୀଣ କୋଚ୍ଙ୍କ ସହିତ ପାକିସ୍ତାନ ଟି୨୦ ବିଶ୍ବକପ ଖେଳିବ ନା PCB ପକ୍ଷରୁ ନୂଆ କୋଚ୍ ନିଯୁକ୍ତ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ