ମୁମ୍ବାଇ: ମହିଳା ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ୟୁପି ୱାରିୟର୍ଜର ଦମଦାର ବିଜୟ । ଆଲିସା ହିଲି ଓ ଦେବୀକା ବୈଦ୍ୟଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଚଳିତ ସିଜିନରେ ଦ୍ବିତୀୟ ବିଜୟ ହାସଲ କରିଛି ୱାରିୟର୍ଜ । ଫଳରେ ଚଳିତ ସିଜନରେ ଲଗାତାର ଚତୁର୍ଥ ଥର ପାଇଁ ପରାଜିତ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ହୋଇଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ବିନା କୌଣସି ୱିକେଟ ହରାଇ ଗତକାଲିର ଏହି ମ୍ୟାଚକୁ ନିଜ ସପକ୍ଷରେ କରିଥିଲା ୱାରିୟର୍ଜ ଟିମ ।
ବାରବର୍ଣ୍ଣ ଷ୍ଟାଡିୟମରେ ପ୍ରଥମ ଟସ ଜିତି ପଡିଆକୁ ବ୍ୟାଟିଂ ପାଇଁ ଓହ୍ଲାଇଥିଲା ବାଙ୍ଗାଲୋର । ଏହାପରେ 19 ଓଭର ଶେଷ ସୁଦ୍ଧା ଦଳ ସମସ୍ତ ଓ୍ବିକେଟ ହରାଇ 138 ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଏଲିସ ପେରୀ 6ଟି ଚୌକା ଓ ଗୋଟିଏ ଛକା ବଳରେ 52 ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ସେହିପରି ସୋଫି ଡିଭାଇନ 36 ,ଏରିନ ଓ୍ବର୍ଣ୍ଣ 12 ଓ ଶ୍ରୀୟଙ୍କା ପାଟିଲ 15 ରନ କରିଥିଲେ । ଏହାପରେ 139 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଓ୍ବାରିଅର୍ଜ । ଓପନିଂ ଯୋଡି ଭାବେ ଅଧିନାୟକ ଆଲିସା ହିଲି ଓ ଦେବିକା ବୈଦ୍ୟ ପଡିଆକୁ ଓହ୍ଲାଇ ଦମଦାର ପାଳି ଖେଳିଥିଲେ ।
ଏହା ମଧ୍ୟ ପଢନ୍ତୁ-FIH Pro League: ପ୍ରଥମ ମ୍ୟାଚରେ ୩-୨ରେ ଜର୍ମାନୀକୁ ପରାସ୍ତ କଲା ଭାରତ
ଆଲିସା ବିସ୍ଫୋରକ ବ୍ୟାଟିଂ କରି 18ଟି ଚୌକା ଓ ଗୋଟିଏ ଛକା ବଳରେ 96 ରନ କରିଥିବା ବେଳେ ଦେବିକା 36 ରନ କରି ଅପରାଜିତ ରହିଥିଲେ । ଉଭୟଙ୍କ ଯୋଡି 13 ଓଭର ବ୍ୟାଟିଂ କରି ଦଳକୁ ବିଜୟୀ କରିଥିଲେ । ବିନା କୌଣସି ଓ୍ବିକେଟରେ 139 ରନରେ ତୃତୀୟ ମ୍ୟାଚ ଖେଳି ବିଜୟୀ ହୋଇଥିଲା ଓ୍ବାରିଅର୍ଜ । ଦଳ ପକ୍ଷରୁ ସୋଫି ଏକ୍ଲେଷ୍ଟୋଇନ 4ଟି ଓ୍ବିକେଟ ଓ ଦୀପ୍ତି ଶର୍ମା 3ଟି ଓ୍ବିକେଟ ନେଇଥିଲେ । ଅନ୍ୟପଟେ ଆରସିବିର 7ଜଣ ବୋଲର ବୋଲିଂ କରିଥିଲେ ସୁଦ୍ଧା କେହି ଜଣେ ହେଲେ ଗୋଟିଏବି ଓ୍ବିକେଟ ନେବାକୁ ସକ୍ଷମ ହୋଇପାରି ନଥିଲେ।
ଆରସିବି ଚତୁର୍ଥ ଥର ପାଇଁ ପରାଜିତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି । ସେହିପରି ୱାରିୟର୍ଜ ଟିମ ଦ୍ବିତୀୟ ବିଜୟ ପରେ 4 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ 4 ପଏଣ୍ଟ ସହ ଦ୍ବିତୀୟ ସ୍ଥାନ ଓ ଗୁଜୁରାଟ 2 ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।