ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଏଥର ଦଶହରାରେ ଯୋଡି ହେବାକୁ ଯାଉଛି ଏକ ଐତିହାସିକ ଅଧ୍ୟାୟ । ଏହି ଦିନକୁ ଅଧର୍ମ ଉପରେ ଧର୍ମର ବିଜୟ ଭାବେ ବିବେଚନା କରାଯାଏ । ଏହି ଦିନ ଶ୍ରୀରାମ ଅଧର୍ମୀ ରାବଣ ଉପରେ ବିଜୟ ପ୍ରାପ୍ତ କରିଥିଲେ ଓ ମା' ଦୁର୍ଗା ରାକ୍ଷସ ମହୀଷାସୁରକୁ ବଧ କରିଥିଲେ ।
![The Kings and Knights IPL Show on Dussehra](https://etvbharatimages.akamaized.net/etvbharat/prod-images/13364072_csk.jpg)
IPL ଟ୍ରଫି ସର୍ବାଧିକ ସମ୍ମାନଜନକ ଟି-୨୦ ଟାଇଟେଲ ହୋଇଥିବାରୁ ଫାଇନାଲ ମହାମୁକାବିଲାରେ ଶ୍ରେଷ୍ଠ ପ୍ରମାଣ ପାଇଁ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି । ଏହି ଦିନ ପବିତ୍ର ଦଶହରା ଦିନ ହୋଇଥିବାରୁ ଅଧିକ ସ୍ବତନ୍ତ୍ର ହୋଇଛି । ଚେନ୍ନାଇର ସୁପର କିଙ୍ଗ୍ସ ଓ କୋଲକାତାର ନାଇଟ୍ସ ମଧ୍ୟରେ ହେବ ଫାଇନାଲ ମୁକାବିଲା ।
ସୁପର କିଙ୍ଗ୍ସ ୩ଥର ପୂର୍ବରୁ ଟାଇଟେଲ ଜିତିବାର କମାଲ କରିଦେଖାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ସେନାପତିଙ୍କ ଉପସ୍ଥିତି ପ୍ରତିପକ୍ଷ କ୍ୟାମ୍ପ୍ରେ ସର୍ବଦା ଚିନ୍ତା ବଢାଇଥାଏ । କ୍ୟାପଟେନ ଧୋନିଙ୍କ ରଣନୀତିକୁ ବୁଝିବା ସହଜ ହୋଇନଥାଏ, ୱିକେଟ ପଛରେ ମ୍ୟାଚ୍ ପରିସ୍ଥିତିକୁ କମ୍ପ୍ୟୁଟର ଭାବେ ପଢି ମାହି ଗୋଟି ଚଳାଇଥାନ୍ତି । ଯେପରି ରାମଙ୍କ ଦ୍ବାରା ପ୍ରେରିତ ବ୍ରହ୍ମାଙ୍କ ଶର ରାବଣର ବକ୍ଷକୁ ଭେଦକରି ମହାନ ପରାକ୍ରମନୀଙ୍କୁ ଶେଷ କରିଥିଲା ସେହିପରି ଧୋନି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବ୍ୟାଟିଂ କ୍ରମରେ ଅଦଳବଦଳ କରି ମ୍ୟାଚ୍ ଫିନିସ୍ କରିଦେଖାଇଥିଲେ ।
![The Kings and Knights IPL Show on Dussehra](https://etvbharatimages.akamaized.net/etvbharat/prod-images/13364072_ipl-trophy.jpg)
ଅନ୍ୟପଟେ କୋଲକାତା ନାଇଟ ରାଇଡର୍ସ(KKR) UAE ଲିଗ୍ରେ ଦମଦେଖାଇ ପଏଣ୍ଟ ଟେବୁଲର ଶେଷଭାଗରୁ ଯାତ୍ରା ଆରମ୍ଭକରି ଫାଇନାଲ ଟିକେଟ୍ ହାତେଇନେଇଛି । ବର୍ଷ ୨୦୧୪ରେ IPL ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟର କିଛି ମ୍ୟାଚ୍ UAEରେ ଖେଳାଯାଇଥିଲା, ସେହି ସଂସ୍କରଣରେ KKR ଚମ୍ପିଆନ ହୋଇଥିଲା । ସମାନ ଭାବେ ୨୦୨୧ରେ ମଧ୍ୟ ଚମତ୍କାର କରିଛି KKR । କିଛି ମିଷ୍ଟ୍ରି ସ୍ପିନର ଟିମର ବିଜୟର ପ୍ରମୁଖ ଅସ୍ତ୍ର ହୋଇଛନ୍ତି । ସ୍ପିନ ଅନୂକୂଳ UAE ପରିବେଶରେ ପ୍ରତିପକ୍ଷ ଟିମ ପାଇଁ ମାରାତ୍ମକ ହୋଇଛନ୍ତି KKR ସ୍ପିନର । ଇଆନ ମୋର୍ଗାନଙ୍କ ଭଳି ବିଶ୍ବ ବିଜୟୀ ଇଂଲଣ୍ଡ ଟିମର କ୍ୟାପଟେନଙ୍କ ନେତୃତ୍ବ ମଧ୍ୟ ଟିମ ପାଖରେ ରହିଛି ।
୨୦୧୨ IPL ଫାଇନାଲରେ CSK ଓ KKR ମୁହାଁମୁହିଁ ହୋଇଥିଲେ ଓ ଏଥିରେ ବାଜି ମାରିଥିଲା କୋଲକାତା । ଏପରିକି ଦୁଇଥର କୋଲକାତା ଫାଇନାଲରେ ପହଞ୍ଚିଛି ଓ ଦୁଇଥର ଯାକ ଟ୍ରଫି ନିଜ ନାମରେ କରିଛି ।
ତେବେ ବ୍ୟାଟ୍ରେ କମାଲ କରିଥିବା ଓ ନିରନ୍ତର ପ୍ରଦର୍ଶନରେ ଦୁଇଟିମର ପ୍ରମୁଖ ମ୍ୟାଚ୍ ବିଜେତା ରହିଥିବା ମହାରାଷ୍ଟ୍ରର ଦୁଇ ଭାରତୀୟ ଘରୋଇ କ୍ରିକେଟର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଋତୁରାଜ ଗାଏକ୍ବାଡ ଚେନ୍ନାଇର ସୁପର ପ୍ରଦର୍ଶନକାରୀ ଥିବାବେଳେ ରାହୁଲ ତ୍ରିପାଠୀ ନାଇଟ ରାଇଡର୍ସର ମଧ୍ୟକ୍ରମ ବ୍ୟାଟିଂର ମେରୁଦଣ୍ଡ ରହିଛନ୍ତି । ଦିଲ୍ଲୀ ବିପକ୍ଷରେ ଶେଷ ଓଭରରେ ଛକା ମାରି ଫାଇନାଲରେ ଟିମକୁ ପହଞ୍ଚାଇଥିଲେ ତ୍ରିପାଠୀ ।
ସେହିପରି KKR ଓପନର ଭେଙ୍କଟସ ରାଜସେକରଣ ଆୟର ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିବା ସହ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ହିରୋ ରହିଛନ୍ତି । ମଧ୍ୟପ୍ରଦେଶର ଏହି ଘରୋଇ କ୍ରିକେଟର ନୂଆ ବଲ୍ରେ ବିଶ୍ବର ପ୍ରମୁଖ ଷ୍ଟାର ବୋଲରଙ୍କୁ ଉଚିତ ମୁକାବିଲା କରି ଅବିଶ୍ବସନୀୟ ପ୍ରଦର୍ଶନ କରିଛନ୍ତି ।
ହାଇଭୋଲଟେଜ୍ ଫାଇନାଲ ମ୍ୟାଚ୍ ହୋଇଥିବାରୁ ଟସ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୁମିକା ରହିପାରେ । ଟସ୍ ଜିତି ଧୋନି, ଲକ୍ଷ୍ୟର ପିଛା କରିବାକୁ ଚାହିଁବେ ନା ମୋର୍ଗାନ ପ୍ରଥମେ ବୋଲିଂ କରି ନିଜ ସ୍ପିନ ଅସ୍ତ୍ରରେ ଚେନ୍ନାଇର ଚମତ୍କାରକୁ ନିୟନ୍ତ୍ରଣରେ ରଖିବେ ଦେଖିବା ରୋମାଞ୍ଚକର ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ