ନୂଆଦିଲ୍ଲୀ: ଆଇପିଏଲ 2021 ସ୍ଥଗିତ ହେବାପରେ ଦ୍ବିତୀୟ ପର୍ଯ୍ୟାୟରେ ସୁରକ୍ଷିତ ଭାବରେ ସ୍ବଦେଶ ଫେରିଲେ ନ୍ୟୁଜିଲାଣ୍ଡ ଖେଳାଳି ଓ କୋଚ୍ । ସେମାନଙ୍କ ମଧ୍ୟରେ କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ ବ୍ରେଣ୍ଡନ ମ୍ୟାକକଲମ ଓ ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଷ୍ଟିଫେନ ଫ୍ଲେମିଂ ସାମିଲ ରହିଛନ୍ତି । ଏକାଧିକ ଫ୍ରାଞ୍ଚାଇଜିର ଖେଳାଳି କୋରୋନା ସଂକ୍ରମିତ ହେବାପରେ ଆଇପିଏଲ 2021କୁ ସ୍ଥଗିତ କରିବାକୁ ପଡ଼ିଛି । ଫଳରେ ଟୁର୍ଣ୍ଣାମେଣ୍ଟରେ ସାମିଲ ଥିବା ସମସ୍ତ ବିଦେଶୀ ଖେଳାଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଆଇପିଏଲରେ ସାମିଲ ଥିବା ସମସ୍ତ ନ୍ୟୁଜିଲାଣ୍ଡ ଖେଳାଳି ଅକଲାଣ୍ଡ ବିମାନ ବନ୍ଦରରେ ଆଜି ପହଞ୍ଚିଛନ୍ତି । ମ୍ୟାକକଲମ ଓ ଫ୍ଲେମିଂଙ୍କ ଛଡ଼ା ଲକି ଫର୍ଗୁସନ, ଅମ୍ପାୟାର କ୍ରୀଶ ଗଫନି, କମେଣ୍ଟଟେଟର ସାଇମଲ ଡୁଲ ଓ ସ୍କଟ ଷ୍ଟାଇରସ ରବିବାର ଅକଲାଣ୍ଡରେ ପହଞ୍ଚିଛନ୍ତି । ସମସ୍ତ ନ୍ୟୁଜିଲାଣ୍ଡ ଖେଳାଳି ଟୋକିଓ ଦେଇ ସ୍ବଦେଶ ଫେରିଛନ୍ତି ।
ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ, ଫିନ ଆଲେନ ଓ ଜିମି ନିଶମ ଭାରତରୁ ସ୍ବଦେଶ ଫେରିଥିଲେ । ତେବେ କିୱି ବ୍ୟାଟ୍ସମ୍ୟାନ ଟିମ୍ ସିଫର୍ଟ କୋରୋନା ସଂକ୍ରମିତ ହୋଇଥିବାରୁ ବର୍ତ୍ତମାନ ମଧ୍ୟରେ ଭାରତରେ ରହିଛନ୍ତି । ସେ ସୁସ୍ଥ ହେବାପରେ ତାଙ୍କୁ ମଧ୍ୟ ନ୍ୟୁଜିଲାଣ୍ଡ ପଠାଇବାକୁ ବ୍ୟବସ୍ଥା କରାଯିବ । ସ୍ବଦେଶ ଫେରିଥିବା ସମସ୍ତ ନ୍ୟୁଜିଲାଣ୍ଡ ଖେଳାଳି ବାଧ୍ୟତାମୂଳକ 14 ଦିନ କ୍ବାରେଣ୍ଟିନରେ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିବି ଭାରତ