ମୁମ୍ବାଇ: ଚଳିତ ଆଇପିଏଲ ମହାସମରର 32ତମ ଲିଗ ମ୍ୟାଚରେ କିଛି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରତିଟି କ୍ରିକେଟ ପ୍ରେମୀଙ୍କ ମୁହଁରୁ ବାହାରିଛି ବାଃ ବାଃ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ବିଜୟ ହାସଲ କରିଛି ଆଉ ଏଥିରେ ମୁଖ୍ୟ ଭୂମିକା ତୁଲାଇଥିଲେ ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂ ଧୋନୀ । ମ୍ୟାଚ ଜିତିବା ପରେ ସିଏସକେ ଅଧିନାୟକ ଜାଡେଜା ଧୋନୀଙ୍କ ପ୍ରଦର୍ଶନକୁ ତାରିଫ ନକରି ରହି ପାରି ନଥିଲେ । ତାଙ୍କ ଆଗରେ ଟୋପି ଖୋଲି ମୁଣ୍ଡ ନୁଆଁଇ ପ୍ରଦର୍ଶନକୁ ସମ୍ମାନ ଜଣାଇଥିଲେ । ଯାହା ସମସ୍ତଙ୍କ ହୃହୟକୁ ଛୁଇଁଛି । ବର୍ତ୍ତମାନ ଏହି ଫଟୋ ଭାଇରାଲ ହେଉଛି । ସେପଟେ ଏ ଦୃଶ୍ୟ ଦେଖି ମୁମ୍ବାଇର ଇଶାନ କିଶନଙ୍କ ମୁହଁରେ ମଧ୍ୟ ହସ ଥିଲା ।
ମୁମ୍ବାଇ ବିପକ୍ଷ ମ୍ୟାଚରେ ଫର୍ମକୁ ଫେରିଛନ୍ତି ମାହି । ଶ୍ରେଷ୍ଠ ଫିନିସର ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ନିଜର ଦକ୍ଷତା ଦେଖାଇଥିଲେ । ଏକୁଟିଆ ଦଳକୁ ଜିତାଇବା କ୍ଷମତା ରଖିଥିବା ମାହି ମୁମ୍ବାଇ ବିପକ୍ଷ ମ୍ୟାଚରେ ଏହା ପ୍ରମାଣ କରିଛନ୍ତି । ମ୍ୟାଚ ଜିତିବାକୁ ଶେଷ 4ଟି ବଲରେ 16 ରନ ଦରକାର ଥିଲା । ଏମଆଇର ଜୟଦେବଙ୍କ ତୃତୀୟ ବଲରେ ଛକା, ଚତୁର୍ଥ ବଲରେ ଚୌକା, ପଞ୍ଚମ ବଲରେ 2 ରନ ଓ ଷଷ୍ଠ ବଲରେ ଚୌକା ମାରି ଦଳକୁ ବିଜୟୀ କରିଥିଲେ ଧୋନୀ ।
13 ବଲରୁ 28 ରନ ହାସଲ କରିଥିଲେ MSD । 3 ୱିକେଟରେ ଚମକପ୍ରଦ ବିଜୟ ହାସଲ କରିଥିଲା ସୁପରକିଙ୍ଗସ । ଏହାପରେ ସିଏସକେ କ୍ୟାପଟେନ ଜାଡେଜା ଧୋନୀଙ୍କ ଆଗରେ ମୁଣ୍ଡ ନୁଆଇଁ ସମ୍ମାନ ଜଣାଇଥିଲେ । ସେପଟେ ଆଇପିଏଲରେ ପ୍ରଥମ ଥର ପାଇଁ ଲଗାତାର 7ଟି ମ୍ୟାଚ ହାରିଥିବା ପ୍ରଥମ ଦଳ ହୋଇଛି ମୁମ୍ବାଇ ।
@ANI