ଦୁବାଇ: ଏଠାରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ୩୨ତମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୮୫ ରନ୍ କରିଛି । ଫଳରେ ପଞ୍ଜାବ କିଙ୍ଗ୍ସ ସାମ୍ନାରେ ୧୮୬ ରନ୍ର ବିଜୟ ଲକ୍ଷ୍ୟ ରହିଛି ।
ରାଜସ୍ଥାନ ପାଇଁ ମହୀପାଳ ଲୋମର ଓ ଜଶସ୍ବୀ ଜୟସ୍ବାଲ ବ୍ୟାଟ୍ରେ କମାଲ କରିଥିଲେ । ଲୋମର ୪୩ ଓ ଜୟସ୍ବାଲ ୪୯ ରନ୍ର ଦ୍ରୁତ ଇଂନିସ ଖେଳିଥିଲେ । ଡେବ୍ୟୁ ମ୍ୟାଚ ଖେଳୁଥିବା ଇଭିନ ଲିୱିସ ମଧ୍ୟ ୨୧ ବଲ୍ରୁ ଧୂଆଁଧାର ୩୬ ରନ୍ର ଇଂନିସ ଖେଳିଥିଲେ । ଅନ୍ୟପଟେ ପଞ୍ଜାବ ପାଇଁ ଦମଦାର ବୋଲିଂ ସହ ଆର୍ଶଦୀପ ସିଂହ ୫ ୱିକେଟ ହାସଲ କରିଥିବାବେଳେ ମହମ୍ମଦ ସାମି ୩ଟି ୱିକେଟ ହାତେଇଥିଲେ ।
ଟସ ଜିତି ପଞ୍ଜାବ କ୍ୟାପଟେନ କେଏଲ ରାହୁଲ ରୟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିବାପରେ ଦୁଇ ଓପନର ଜୟସ୍ବାଲ ଓ ଲିୱିସ ଭଲ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ୫ ଓଭରରେ ୫୩ ରନ୍ ସଂଗ୍ରହ କରିଥିଲେ । ତେବେ ଏହାପରେ ଆର୍ଶଦୀପ ଏହି ଯୋଡି ଭାଙ୍ଗିବା ସହ ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ