ମୁମ୍ବାଇ: ଚଳିତ ଆଇପିଏଲ ସଂସ୍କରଣରେ ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଲିଗ ମ୍ୟାଚରେ ଦୁଇ ରୟାଲ୍ସଙ୍କ ମଧ୍ୟରେ ମୁକାବିଲା ହେବ । ଦୁଇଟି ଯାକ ମ୍ୟାଚକୁ କବଜା କରିନେଇଥିବା ରାଜସ୍ଥାନ ରୟାଲ୍ସ ଓ ଗୋଟିଏ ମ୍ୟାଚ ଜିତିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଲଢେଇ ହେବ । ଆରଆର ତାର ତୃତୀୟ ବିଜୟ ଲକ୍ଷ୍ୟ ରଖିଥିବାବେଳେ ଆରସିବି ଦ୍ବିତୀୟ ବିଜୟ ଲକ୍ଷ୍ୟରେ ପ୍ରସ୍ତୁତ ରହିଛି।
ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ୨ଟି ମ୍ୟାଚ ଜିତି ନେଇଛି । ଏହା ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ଭଭୟ ମ୍ୟାଚରେ ଦଳ ଦମଦାର ପ୍ରଦର୍ଶନ କରିଛି । ଗୋଟିଏ ସନରାଇଜର୍ସ ବିପକ୍ଷରେ ଓ ଅନ୍ୟଟି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ହାସଲ କରିଛି । ଦଳର ସମସ୍ତ ଖେଳାଳି ଫୁଲ ଫର୍ମରେ ରହିଛନ୍ତି । ଦଳର ଜୋସ ବଟଲର ମୁମ୍ବାଇ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ । ଦେବଦତ୍ତ ପାଡିକଲ, ସଞ୍ଜୁ ସାମସନ, ସିମରନ ପ୍ରମୁଖ ଭଲ ସ୍ଥିତିରେ ଅଛନ୍ତି । ଦଳର ଉଭୟ ବିଭାଗ ସନ୍ତୁଳିତ ରହିଛି । ଆଜିର ମ୍ୟାଚ ଜିତି ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି ଦଳ ।
ସେପଟେ ୨ଟି ମ୍ୟାଚ ଖେଳି ଗୋଟିଏରେ ଜିତିଥିବା ରୟାଲ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି, ଦିନେଶ କାର୍ତ୍ତିକ, କୋହଲିଙ୍କ ଭଳି ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ଆରଆରର ବଟଲରଙ୍କ ବ୍ୟାଟିଂରେ ବ୍ରେକ ଲଗାଇବାକୁ ଚେଷ୍ଟା କରିବ ବାଙ୍ଗାଲୋର । ସ୍ବତନ୍ତ୍ର ରଣନୀତି ନେଇ ଆଜି ପଡିଆକୁ ଓହ୍ଲାଇବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଜିର ମ୍ୟାଚ ଜିତିଲେ ବାଙ୍ଗାଲୋରର ଏହା ଦ୍ବିତୀୟ ବିଜୟ ହେବ ।