ମୁମ୍ବାଇ: ପାଖଉଛି ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର (IPL 2022) ପ୍ଲେ-ଅଫ୍ ପର୍ଯ୍ୟାୟ । ସ୍ଥାନ ପକା କରିବାକୁ ଦଳମାନଙ୍କର ଜୋରଦାର କସରତ ଆରମ୍ଭ ହୋଇଛି । ଆଜି ଖେଳାଯିବାକୁ ଥିବା 65 ତମ ଲିଗ ମ୍ୟାଚରେ ହାଇଦ୍ରାବାଦ ଓ ମୁମ୍ବାଇ ପରସ୍ପରକୁ ଭେଟିବେ । ମୁମ୍ବାଇ ପ୍ଲେ-ଅଫ୍ରୁ ବାଦ ପଡିସାରିଛି କେବଳ ସମ୍ମାନ ପାଇଁ ଖେଳୁଛି । ଆଜିର ମ୍ୟାଚ୍ ହାଇଦ୍ରାବାଦ ପାଇଁ କର ବା ମର ସଦୃଶ ହୋଇଛି । ଆଜର ମ୍ୟାଚ୍ ଦଳ ପାଇଁ ଶେଷ ସୁଯୋଗ । ରନ ରେଟ୍ ଅଧାରରେ ଦଳ ଉପରକୁ ଉଠିବାକୁ ଚେଷ୍ଟା କରିବ ।
ବର୍ତ୍ତମାନ ସୁଦ୍ଧା ସନରାଇଜର୍ସ 12ଟି ମ୍ୟାଚରୁ 5ଟି ଜିତି ମୋଟ 10 ପଏଣ୍ଟ ହାସଲ କରିଛି । ପ୍ଲେ-ଅଫ୍ରେ ସ୍ଥାନ ପକ୍କା କରିବାକୁ ହେଲେ ଦଳକୁ ତାର ଶେଷ 2ଟି ମ୍ୟାଚକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ । ଯଦି ଆଜିର ମ୍ୟାଚ ଦଳ ଜିତେ ତେବେ ପ୍ଲେ ଅଫ ସମ୍ଭାବନା ରହିଛି ଯଦି ପରାଜୟ ହୁଏ ତେବେ ସବୁ ସ୍ବପ୍ନ ମଉଳି ଯିବ । ମୁମ୍ବାଇ ଇଣ୍ଡିଆନ୍ସର ସବୁ ସ୍ବପ୍ନ ଚଳିତ ଆଇପିଏଲରେ ମଉଳି ସାରିଛି । ଚାହିଁଲେ ବି ଦଳ ହାତରେ କିଛି ଲାଗିବାର ନାହିଁ । ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ପ୍ଲେ-ଅଫରୁ ବାଦ ପଡି ସାରିଛି । ତେବେ ମୁମ୍ବାଇର ବିଜୟ ଅନ୍ୟ ଦଳ ପ୍ଲେ-ଅଫ୍ ସମୀକରଣ ବଦଳାଇବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ ମ୍ୟାଚରେ ଚେନ୍ନାଇକୁ ହରାଇ ପ୍ଲେ ଅଫ ଦୌଡରୁ ବିଦା କରିଥିଲା । ଆଜିର ମ୍ୟାଚରେ ସନରାଇଜର୍ସକୁ ବିଦା କରିବାକୁ ପ୍ରୟାସ କରିବ ।
ସନରାଇଜର୍ସ ଉନ୍ନତ ବୋଲିଂ ବିଭାଗକୁ ନେଇ ପରିଚିତ । ବ୍ୟାଟିଂ ବିଭାଗ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିନାହିଁ । ତଥାପି ମୁମ୍ବାଇକୁ ହରାଇବା ଭଳି କ୍ଷମତା ଦଳ ପାଖରେ ଅଛି । ଆଜିର ମ୍ୟାଚରେ ଫାଷ୍ଟ ବୋଲର ଉମ୍ରାନ ମଲିକଙ୍କ ଉପରେ ନଜର ରହିବ । ଚଳିତ ସିଜିନରେ ଦୁଇ ଦଳ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ । ଗତ ସିଜିନରେ ମୁମ୍ବାଇ ହାଇଦ୍ରାବାଦ ବିପକ୍ଷରେ 2ଟି ମ୍ୟାଚ ଜିତିଥିଲା ତେଣୁ ମୁମ୍ବାଇ ପଲ୍ଲା ଭାରୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ