ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ରବିବାର ଆଇପିଏଲରେ ଗୋଟିଏ ଓଭରରେ କ୍ରିସ ଗେଲ୍ଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡର ସମକକ୍ଷ ହୋଇଛନ୍ତି । ଚଳିତ ଆଇପିଏଲର 19ତମ ମୁକାବିଲାରେ ୱାଙ୍ଖଡେ ଷ୍ଟାଡିୟମରେ ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଇଂନିସର ଶେଷ ଓଭରରେ ଅବିଶ୍ବସନୀୟ ଭାବେ 37 ରନ ସଂଗ୍ରହ କରିଥିଲେ ଜାଡେଜା ।
ଶେଷ 4 ଓଭରରେ ସିଏସକେ 57 ରନ୍ ଉଠାଉଥିଲା । ଏହାମଧ୍ୟରୁ ଶେଷ 6ଟି ବଲ୍ରୁ ଜାଡେଜାଙ୍କ 37 ରନ ସାମିଲ ରହିଛି । ମାତ୍ର 28 ବଲ୍ରୁ ବିସ୍ଫୋରକ 62 ରନର ଇଂନିସ ଖେଳିଥିଲେ ସିଏସକେ ଅଳରାଉଣ୍ଡର । ଏହି ମାରାଥନ ଇଂନିସରେ 6ଟି ଛକା ଓ 4ଟି ଚୌକା ସାମିଲ ରହିଛି । ଏହା ଆଇପିଏଲ ଇତିହାସରେ ଯୁଗ୍ମ ଭାବେ ସର୍ବାଧିକ ମହଙ୍ଗା ଓଭର । ଫଳରେ ନିର୍ଦ୍ଧାରିତ 20 ଓଭରରେ 191 ରନର ବଡ ସ୍କୋର କରିପାରିଥିଲା ଚେନ୍ନାଇ ।
ଜାଡେଜା ଆରସିବି ପକ୍ଷରୁ ଶେଷ ଓଭର ବୋଲିଂ କରିଥିବା ହର୍ଷଲ ପଟେଲଙ୍କ 6ଟି ବଲ୍ରୁ 5ଟି ଛକା ଲଗାଇଥିଲେ । ଏହାପୂର୍ବରୁ 3 ଓଭରରେ ହର୍ଷଲ ମାତ୍ର 14 ରନ୍ ବ୍ୟୟ କରିଥିଲେ ।
ପୂର୍ବରୁ ଗେଲ୍ ମେ' 2011ରେ ଆରସିବି ପକ୍ଷରୁ ଖେଳି, କୋଚି ଟସ୍କର କେରଳର ପ୍ରଶାନ୍ତ ପରମେଶ୍ବରନଙ୍କ ଓଭରରେ 37 ରନ୍ ସଂଗ୍ରହ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ