ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ଆଉଏକ ବଡ ଉପଲବ୍ଧି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ 200ତମ ମ୍ୟାଚ ଖେଳିବାର ଗୌରବ ଅର୍ଜନ କରିଛନ୍ତି ଧୋନି । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପେଟନ ବିରାଟ କୋହଲିଙ୍କ ପରେ ଗୋଟିଏ ଟିମ ପାଇଁ 200ତମ ଟି20 ମ୍ୟାଚ ଖେଳିବାରେ ଧୋନି ଦ୍ବିତୀୟ ଖେଳାଳି ।
ଶୁକ୍ରବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ଆଇପିଏଲର ଅଷ୍ଟମ ମ୍ୟାଚ ସିସଏକେ ପାଇଁ ଧୋନିଙ୍କ 200ତମ ମ୍ୟାଚ ହୋଇଛି । ଧୋନି ସମସ୍ତ ମ୍ୟାଚରେ ଫ୍ରାଞ୍ଚାଇଜର କ୍ୟାପଟେନ ରହିଛନ୍ତି । ବିରାଟ କୋହଲି ଆରସିବା ପାଇଁ 209ଟି ଟି20 ମ୍ୟାଚ ଖେଳିଛନ୍ତି ।
ଧୋନି ଆଇପିଏଲର ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ 176ଟି ମ୍ୟାଚ ଖେଳିଛନ୍ତି ଓ ଚମ୍ପିଆନ୍ସ ଲିଗ ଟି20ରେ 24ଟି ମ୍ୟାଚ ଖେଳିଛନ୍ତି । ପୂର୍ବତନ ଭାରତୀୟ କ୍ୟାପଟେନ ଧୋନି 2016-17 ଆଇପିଏଲ ସଂସ୍କରଣରେ ରାଇଜିଂ ପୁନେ ସୁପରିଜିଆଣ୍ଟ ପାଇଁ 30ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି ।
ଧୋନିଙ୍କ ନେତୃତ୍ବରେ ସିଏସକେ 3ଥର ଆଇପିଏଲ ଚମ୍ପିଆନ ହୋଇଛି । ସିଏସକେ ପାଇଁ 40.63 ହାରରେ 136.67 ଷ୍ଟ୍ରାଇକରେଟ୍ରେ 4058 ରନ୍ ସଂଗ୍ରହ କରିଛନ୍ତି ।
ଚମ୍ପିଆନ୍ସ ଟ୍ରଫିରେ ମଧ୍ୟ ଧୋନିଙ୍କ ନେତୃତ୍ବରେ ଜଲୱା ଦେଖାଇଛି ଚେନ୍ନାଇ । 2010 ଓ 2014 ସଂସ୍କରଣର ଟାଇଟେଲ ବିଜୟୀ ହୋଇଛି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଧୋନିଙ୍କ ନାମରେ ସର୍ବାଧିକ 216ଟି ଛକା ମାରିଥିବା ରେକର୍ଡ ଓ ୱିକେଟ ପଛରେ 148 ଶିକାର ସହ ଟୁର୍ଣ୍ଣାମେଣ୍ଟର ସଫଳତମ ୱିକେଟ କିପର ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ