ମୁମ୍ବାଇ: ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏଆର ରେହମାନ ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଉଦ୍ଦେଶ୍ୟରେ ଚର୍ଚ୍ଚିତ ହିନ୍ଦୀ ଚଳଚିତ୍ର ଲଗାନର 'ଚାଲେ ଚାଲୋ' ଗୀତ ସର୍ମପିତ କରିଛନ୍ତି । ଧୋନିଙ୍କୁ ଏକତ୍ର ଖେଳିବାକୁ ପ୍ରେରିତ କରିବାକୁ ପ୍ରୟାସ କରିଛନ୍ତି ରେହମାନ ।
କେବଳ ଧୋନି ନୁହଁନ୍ତି ସିଏସକେ ଅଲରାଉଣ୍ଡର ରାଇନାଙ୍କ ପାଇଁ ମଧ୍ୟ ଏକ ଚଳଚିତ୍ରର ଗୀତ ସମର୍ପିତ କରିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ । ରଙ୍ଗୀଲା ଚଳଚିତ୍ରର 'ମାଙ୍ଗତା ହେ କ୍ୟା' ଗୀତକୁ ସମର୍ପିତ କରିଛନ୍ତି ।
ଷ୍ଟାର ସ୍ପୋର୍ଟ୍ସର କ୍ରିକେଟ ଲାଇଭ ଶୋରେ ରେହମାନ କହିଛନ୍ତି, "ସିଏସକେର ଦୁଇ ଷ୍ଟାର ଧୋନି ଓ ରାଇନାଙ୍କ ଉଦ୍ଦେଶ୍ୟରେ ଦୁଇଟି ଗୀତ ସମର୍ପିତ । ଲଗାନ ଚଳଚିତ୍ରର 'ଚାଲେ ଚାଲୋ' ଗୀତ ଧୋନିଙ୍କ ପାଇଁ ସମର୍ପିତ । ଏହା ଲୋକଙ୍କୁ ଏକତ୍ର କ୍ରିକେଟ ଖେଳିବାକୁ ପ୍ରେରିତ କରିବ ।
ଶୁକ୍ରବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ କେଏଲ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ରହିଛି । ଆଇପିଏଲ 2021ରେ ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା । ଏହାକୁ 7 ୱିକେଟରେ ଜିତିନେଇଥିଲା ଦିଲ୍ଲୀ । ଫଳରେ ଦ୍ବିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିଛି ସିଏସକେ । ଅନ୍ୟପଟେ ପଞ୍ଜାବ ଖେଳିଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ 4 ରନରେ ହରାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ