ଜୟପୁର: କିଙ୍ଗ୍ସ ଇଲେଭେନ ପଞ୍ଜାବ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚକୁ ପଞ୍ଜାବ ଜିତି ନେଇଛି ସତ କିନ୍ତୁ ମ୍ୟାଚକୁ ନେଇ ସୃଷ୍ଟି ହୋଇଛି ଅନେକ ବିବାଦ। ରାଜସ୍ଥାନ ରୟାଲ୍ସର ଓପନିଙ୍ଗ ବ୍ୟାଟ୍ସମ୍ୟାନ ଜୋସ ବଟଲର ଆଇପିଏଲ ଇତିହାସରେ ‘ମଙ୍କଡିଙ୍ଗ(Mankading)’ର ଶିକାର ହୋଇଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଯେତେବେଳେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଧିନାୟକ ଅଶ୍ୱିନ ବିବାଦୀୟ ଢ଼ଙ୍ଗରେ ତାଙ୍କୁ ଆଉଟ କରିଥିଲେ।
ବଟଲର 43 ବଲରେ 69 ରନ କରି ଖେଳୁଥିବା ସମୟରେ ତାଙ୍କୁ ଚେତାବନୀ ନଦେଇ ରନ ଆଉଟ କରିଥିଲେ, ଯାହାକୁ ନେଇ ଏବେ ଖେଳୁଆଡ ମନୋଭାବ ଉପରେ ଉଠିଛି ପ୍ରଶ୍ନ। ଖେଳର ନିୟମ ଅନୁସାରେ ଥାର୍ଡ ଅମ୍ପାୟାର ବଟଲରଙ୍କୁ ଆଉଟ ଘୋଷଣା କରିଥିଲେ, କିନ୍ତୁ ଏପରି ୱିକେଟ ନେବା ଖେଳୁଆଡ ମନୋଭାବ ବିପକ୍ଷରେ ବୋଲି ମନେ କରାଯାଏ। ଏହା ପରେ ଅଶ୍ୱିନ ଓ ବଟଲରଙ୍କ ମଧ୍ୟରେ ଅନେକ ବିତର୍କ ମଧ୍ୟ ହୋଇଥିଲା। ଏହି ୱିକେଟ ପରେ ମ୍ୟାଚ ସମ୍ପୂର୍ଣ୍ଣ ବଦଳି ଯାଇଥିଲା।
ମ୍ୟାଚ ପରେ ଅଶ୍ୱିନଙ୍କୁ ଏନେଇ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ ‘ମୋ ପକ୍ଷରେ ଏହା ଖୁବ ସହଜ ଥିଲା। ଏହା କୌଣସି ଯୋଜନା ନଥିଲା। ଏହା ଖେଳର ନିୟମ ଅନ୍ତର୍ଭୁକ୍ତ।’
ତେବେ ଏନେଇ ଅଶ୍ୱିନଙ୍କୁ ଅନେକ ସମାଲୋଚନା କରିଛନ୍ତି ଅନେକ କିମ୍ବଦନ୍ତୀ କ୍ରିକେଟର। ସେମାନଙ୍କ ମଧ୍ୟରେ ସେନ ୱାର୍ନ ଓ ଇୟୋନ ମର୍ଗାନ ସାମିଲ ଅଛନ୍ତି। ସେନ ୱାର୍ନ ଟ୍ୱିଟ କରି ଲେଖିଛନ୍ତି, ‘ଜଣେ ଅଧିନାୟକ ଓ ଜଣେ ବ୍ୟକ୍ତି ଭାବେ ଅଶ୍ୱିନ ଯାହା କଲେ ତାହା ମତେ ନିରାଶ କରିଛି।
ମର୍ଗାନ ଲେଖିଛନ୍ତି, ‘ମୁଁ କ’ଣ ଦେଖୁଛି ବିଶ୍ୱାସ କରି ପାରୁନି... ଏମିତି ସମୟ ଆସିବ ଯେତେବେଳେ ଅଶ୍ୱିନଙ୍କୁ ଅନୁତାପ କରିବାକୁ ହେବ।
ମଙ୍କଡିଙ୍ଗ କ’ଣ ?
ମ୍ୟାଚରେ ନନ୍ ଷ୍ଟରାଇକର ଏଣ୍ଡରେ ଛିଡା ହୋଇଥିବା ବ୍ୟାଟ୍ସମ୍ୟାନ ଜଦି ବୋଲର ହାତର ବଲ ପଡିବା ଆଗରୁ କ୍ରିଜରୁ ବାହାରି ଯାଏ ତେବେ ତାକୁ ରନ ଆଉଟ କରିବାକୁ ମଙ୍କଡିଙ୍ଗ ବୋଲି କୁହାଯାଏ।
ଏହା ପ୍ରଥମ ଥର ନୁହେଁ ଯେବେ ବଟଲର ମଙ୍କଡିଙ୍ଗର ଶିକାର ହୋଇଛନ୍ତି। ଏହା ପୂର୍ବରୁ 2014 ଦିନିକିଆ ସିରିଜରେ ଶ୍ରୀଲଙ୍କାର ସଚିତ୍ରା ସେନାନାୟକ ବଟଲରଙ୍କୁ ଏହିପରି ଆଉଟ କରିଥିଲେ କିନ୍ତୁ ଚେତାବନୀଦେବା ପରେ।