ଲଣ୍ଡନ: ଇଂଲିଶ କାଉଣ୍ଟି ଏକାଦଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ଡ୍ର ହୋଇଛି । ମ୍ୟାଚ ଡ୍ର ହେଲା ସତ ହେଲେ ଏହି ମ୍ୟାଚ ପରେ ଭାରତୀୟ ଦଳକୁ ଆହତ ସମସ୍ୟା ଚିନ୍ତାରେ ପକାଇ ଦେଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡର ନିବେଦନ ପରେ ଭାରତର ଫାଷ୍ଟ ବୋଲର ଆବେଶ ଖାନଙ୍କୁ ଇଂଲିଶ କାଉଣ୍ଟି ଏକାଦଶ ପକ୍ଷରୁ ଖେଳିବାକୁ ଅନୁମତି ଦେଇଥିଲା ବିସିସିଆଇ । କିନ୍ତୁ ଅଭ୍ୟାସ ମ୍ୟାଚ ବେଳେ ହନୁମା ବିହାରିଙ୍କ ଏକ ସଟରେ ଆବେଶ ଖାନ ଆହତ ହୋଇଛନ୍ତି ।
ଫଳରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ଆଭେଶ ଖେଳିବେ କି ନାହିଁ ତାହାକୁ ନେଇ ସନ୍ଦେହ ଜାରି ରହିଛି । କାରଣ ଅଭ୍ୟାସ ମ୍ୟାଚରେ ସେ ଆହତ ହେବା ପରେ ଆଉ ପଡ଼ିଆକୁ ଓହ୍ଲାଇନଥିଲେ । ସେପେଟ ବିସିସିଆଇ ପକ୍ଷରୁ ମଧ୍ୟ ଆବଶ ଖାନଙ୍କୁ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଆବେଶ ଖାନଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଆଘାତ କେତେ ଗମ୍ଭୀର ତାହାକୁ ନେଇ ନିଜେ ଆଭେଶ ଖାନ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ତେବେ ସିରିଜ ପୂର୍ବରୁ ଆବେଶ ଖାନ ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖା ଯାଉନାହିଁ । ଘରୋଇ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ ଆଭେସ ଖାନ । ଇଂଲଣ୍ଡ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିପାରିବେ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି । ଖାଲି ସେତିକି ନୁହେଁ ଅଭ୍ୟାସ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟ ସାମନ୍ୟ ପିଠି ଯନ୍ତ୍ରଣା ସମସ୍ୟା ଥିଲା । ତେବେ ତାଙ୍କୁ ନେଟସରେ ଜୋରାଦାର ଅଭ୍ୟାସ କରୁଥିବା ଦେଖାଇଥିଲା । ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ମଧ୍ୟ ହାର୍ମଷ୍ଟ୍ରିଂ ସମସ୍ୟା ଦେଇ ଗତି କରୁଛନ୍ତି । ସେ ଅଭ୍ୟାସ ମ୍ୟାଚ ଖେଳିନଥିବା ବେଳେ ତାଙ୍କୁ ନେଟସରେ ମଧ୍ୟ ଦେଖା ଯାଇନାହିଁ । ଏଭଳି ସ୍ଥିତିରେ ଭାରତ ଇଂଲଣ୍ଡ ବିପକ୍ଷରେ କିଭଳି ମୁକାବିଲା କରିବ ତାହାରି ଉପରେ ରହିବ ସଭିଙ୍କ ନଜର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ