ଲଣ୍ଡନ: ତୃତୀୟ ଟେଷ୍ଟରେ ଭାରତୀୟ ୱିକେଟ କିପର ଋଷଭ ପନ୍ତଙ୍କ ଗ୍ଲୋବସକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ହେଡିଂଲି ଲିଡସ ଟେଷ୍ଟରେ ଭାରତ ପାଇଁ ଏପର୍ଯ୍ୟନ୍ତ କିଛି ସକରାତ୍ମକ ହୋଇନାହିଁ । ପ୍ରଥମେ ୭୮ ରନରେ ଅଲଆଉଟ ହେବାପରେ ଇଂଲଣ୍ଡ ଭାରତ ଠାରୁ ୩୪୫ ରନର ବିଶାଳ ଲିଡ ନେଇ ସାରିଛି । ଏହାରି ମଧ୍ୟରେ ତୃତୀୟ ଟେଷ୍ଟର ଦ୍ବିତୀୟ ଦିନରେ ଋଷଭ ପନ୍ତଙ୍କ ଗ୍ଲୋବସକୁ ନେଇ ଦେଖା ଦେଇଛି ବିବାଦ ।
୯୪ତମ ଓଭରରେ ମହମ୍ମଦ ସାମିଙ୍କ ବଲରେ ଆଉଟ ହୋଇଥିଲେ ଇଂଲଣ୍ଡର ୩ ନମ୍ବର ବ୍ୟାଟସମ୍ୟାନ ଡେଭିଡ ମଲାନ । ସେ ଏକ ଫ୍ଲିକ କରିବା ବେଳେ ପନ୍ତଙ୍କୁ କ୍ୟାଚ ଦେଇ ବସିଥିଲେ । ୭୦ ରନ କରି ମଲାନ ପଭେଲିୟନ ଫେରିଥିଲେ । ଏହାପରେ ଟି' ବ୍ରେକ ହୋଇଥିବା ବେଳେ ପନ୍ତଙ୍କୁ ଫିଲ୍ଡ ଅମ୍ପାୟାରମାନେ ତାଙ୍କ ଗ୍ଲୋବସରେ ଲାଗିଥିବା ଟେପ କାଢ଼ିବାକୁ କହିଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ପନ୍ତଙ୍କ ଗ୍ଲୋବସରୁ ସେହି ଟେପ କାଢ଼ୁଥିବା ଦେଖିବାକୁ ମିଳିଥିଲା ।
ଆଇସିସିର ନିୟମ ୨୭.୧ ଅନୁଯାୟୀ ୱିକେଟ କିପରମାନେ ଗ୍ଲୋବସ ଫିଙ୍ଗରରେ କୌଣସି ଟେପ ଲଗାଇ ପାରିବେ ନାହିଁ । କେବଳ ବିଶି ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠିକୁ ଟେପ ମାଧ୍ୟମରେ ଯୋଡ଼ି ପାରିବେ ୱିକେଟ କିପର । ତେବେ ପନ୍ତ ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ସେ ନିଜ ଗ୍ଲୋବସର ଅନାମିକା ଓ କାଣୀ ଆଙ୍ଗୁଟିକୁ ଟେପ୍ ମାଧ୍ୟମରେ ଯୋଡ଼ିଥିଲେ ।
ଏହାକୁ ନେଇ ଫିଲ୍ଡ ଅମ୍ପାୟାର ତାଙ୍କୁ ଏଭଳି କରିବାକୁ ବାରଣ କରିଥିଲେ । ଏହି ସମୟରେ କମେଣ୍ଟ୍ରିରେ ମଧ୍ୟ ପନ୍ତଙ୍କ ଗ୍ଲୋବସକୁ ନେଇ ଆଲୋଚନା ହୋଇଥିଲା । ତୃତୀୟ ଟେଷ୍ଟର ଡ୍ରାଇଭିଂ ସିଟରେ ଅଛି ଇଂଲଣ୍ଡ ଦଳ । ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୮ ୱିକେଟ ବିନିମୟରେ ୪୨୩ ରନ କରିଛି । ଏହି ମ୍ୟାଚରେ ବିଜୟୀ ହେବାକୁ ହେଲେ ଭାରତକୁ କିଛି ଚମତ୍କାର ହିଁ କରିବାକୁ ହେବ ବୋଲି କ୍ରିକେଟ ସମୀକ୍ଷକ ମତ ଦେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ