ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତ ଭଲ ପ୍ରଦର୍ଶନ କରିବ । ଏଭଳି ଆଶା ବାନ୍ଧିଛନ୍ତି ଭାରତୀୟ ବ୍ୟାଟସମ୍ୟାନ ହନୁମା ବିହାରୀ । ଆସନ୍ତା ଜୁନ 18ତାରିଖରୁ ଇଂଲଣ୍ଡର ସାଉଥହମ୍ପଟନରେ ଖେଳାଯିବା ଏହି ଫାଇନାଲ ମ୍ୟାଚ । ଏଥିପାଇଁ ଜୁନ 2 ତାରିଖରୁ ଭାରତ ଇଂଲଣ୍ଡ ଗସ୍ତ କରିବ । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପରେ ଇଂଲଣ୍ଡ ସହ 5ଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ ।
ଏକ ସାକ୍ଷାତକାରରେ ବିହାରୀ କହିଛନ୍ତି ଯେ, "ମୁଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ଭାରତୀୟ ପ୍ରଶଂସକ ଏହି ଟେଷ୍ଟ ଚମ୍ପିଆନସିପ ଫାଇନାଲକୁ ନେଇ ଉତ୍ସାହିତ ରହିଥିବେ । କାରଣ ଟେଷ୍ଟ ଚମ୍ପିଆନସିପ ଫାଇନାଲର ଏହା ହେଉଛି ପ୍ରଥମ ସଂସ୍କରଣ । ନ୍ୟୁଜିଲାଣ୍ଡ ଭଳି ମଜଭୁତ ଦଳ ବିପକ୍ଷରେ ଖେଳିବ ଭାରତ । ଭାରତ ପାଇଁ ବହୁ ଚ୍ୟାଲେଞ୍ଜ ରହିବ । କିନ୍ତୁ ଭାରତ ଭଲ ପ୍ରଦର୍ଶନ କରିବା କ୍ଷମତା ରଖିଛି।"
ଆହତଜନିତ ସମସ୍ୟା ଯୋଗୁଁ ଭାରତରେ ଇଂଲଣ୍ଡ ଖେଳିଥିବା ଟେଷ୍ଟ ସିରିଜରେ ସାମିଲ ହୋଇ ପାରିନଥିଲେ ହନୁମା ବିହାରୀ । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ବେଳେ ସେ ଆହତ ହୋଇଥିଲେ । ଏହାପରେ ସେ ବିଜୟ ହଜାରେ ଟ୍ରଫିରେ ସେ ଆନ୍ଧ୍ରପ୍ରଦେଶ ପକ୍ଷରୁ 7ଟି ମ୍ୟାଚ ଖେଳିଛନ୍ତି । କାଉଣ୍ଟି କ୍ରିକେଟ ଖେଳିବାକୁ ଇଂଲଣ୍ଡରେ ରହିଛନ୍ତି ହନୁମା ବିହାରୀ । ସେ ୟର୍କସାୟର ଦଳରେ ସାମିଲ ହୋଇଛନ୍ତି ।
ହନୁମା ବିହାରୀ କହିଛନ୍ତି ଯେ, "ଆମେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭଲ ପ୍ରଦର୍ଶନ କରିବା ନେଇ ଆଶ୍ବସ୍ତ ଅଛୁ। ଏଥିପାଇଁ ଆମେ ସର୍ବଶ୍ରେଷ୍ଠ ପ୍ରସ୍ତୁତି କରୁଛୁ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ