ପୋର୍ଟ ଅଫ ସ୍ପେନ: ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ନୂଆ ରେକର୍ଡ । ଟେଷ୍ଟ ମ୍ୟାଚରେ 29ତମ ଶତକ ହାସଲ କରିଛନ୍ତି କୋହଲି । ଏହା ତାଙ୍କ 76 ତମ ଅନ୍ତର୍ଜାତୀୟ ଶତକ । 500ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ଅର୍ଜନ କରିବାରେ ବିଶ୍ବର ପ୍ରଥମ ଖେଳାଳି ହୋଇପାରିଛନ୍ତି କୋହଲି । ଗତକାଲି ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ 121 ରନ କରି ଏହି ରେକର୍ଡ ହାସଲ କରିଛନ୍ତି ସେ । ଏଥି ସହ 438 ରନର ବିଶାଳ ସ୍କୋରରେ ଭାରତର ପ୍ରଥମ ପାଳି ଶେଷ ହୋଇଛି । ସେପଟେ ଘରୋଇ ଓ୍ବେଷ୍ଟ ଇଣ୍ଡିଜ ପ୍ରଥମ ପାଳିରେ 13 ରନ କରିଛି । ଆଜି ତୃତୀୟ ଦିନରେ ଓ୍ବେଷ୍ଟ ଇଣ୍ଡିଜର ବ୍ୟାଟିଂ ଜାରି ରହିବ ।
ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ 4ଟି ୱିକେଟ ହରାଇ 288 ରନ କରିଥିଲା । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି 87 ଓ ରବୀନ୍ଦ୍ର ଜାଡେଜା 36ରନ କରି ଅପରାଜିତ ରହିଥିଲେ । ପୁଣି ଗତକାଲି(ଶୁକ୍ରବାର) ମ୍ୟାଚ ଆରମ୍ଭ ହୋଇଥିଲା । କୋହଲିଙ୍କ ବିସ୍ଫୋରକ ବ୍ୟାଟିଂରେ ଚିତପଟାଙ୍ଗ ହୋଇଥିଲେ ଓ୍ବେଷ୍ଟ ଇଣ୍ଡିଜ ବୋଲର । କୋହଲି 121 ରନ କରି ଜୋମେଲ ଓ୍ବାରିକାନଙ୍କ ବଲରେ ରନ ଆଉଟ ହୋଇଥିଲେ । ସେ ମୋଟ 206 ବଲରୁ ଏହି ବିରାଟ ସ୍କୋର ହାସଲ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରବିନ୍ଦ୍ର ଜାଡେଜା 152ଟି ବଲର 61 ରନ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରବିନ୍ଦ୍ର ଅଶ୍ବିନୀ 56 ରନ, ଇଶାନ କିସାନ 25, ଜୟଦେବ ଉନାକତ 7 ରନ କରି ଆଉଟ ହୋଇଥିଲେ । ଭାରତ ସମସ୍ତ ଓ୍ବିକେଟ ହରାଇ 438 ରନ କରିଥିଲା ।
ଏହା ମଧ୍ୟ ପଢନ୍ତୁ-INDvsWI 2nd Test: ରୋହିତ-ଯଶସ୍ବୀଙ୍କ ଅର୍ଦ୍ଧଶତକ, ଭାରତ ପ୍ରଥମ ଇନିଂସ 288/4
500 ତମ ଅନ୍ତର୍ଜାତୀୟ ମ୍ୟାଚରେ 76 ତମ ଅନ୍ତର୍ଜାତୀୟ ଶତକ ପରେ ବ୍ୟାଟ୍ସମ୍ୟାନ ବିରାଟ କୋହଲି କହିଛନ୍ତି ଯେ, ଏହି ଶତକ ମୋ ପାଇଁ ସନ୍ତୋଷଜନକ ଥିଲା । ଏଥିପାଇଁ ମୁଁ କଠିନ ପରିଶ୍ରମ କରିଥିଲି । ଖେଳିବା ସମୟକୁ ମୁଁ ଉପଭୋଗ କରୁଥିଲି। ମୁଁ ଯେଉଁ ସମୟରେ ପଡିଆରେ ରହିବାକୁ ଚାହୁଁଥିଲି, ସେହି ସମୟରେ ରହିଲି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳର ଧାରାକୁ ବଜାୟ ରଖିଲି । ଏକ ଚ୍ୟାଲେଞ୍ଜିଂ ସମୟରୁ ଖେଳ ଆରମ୍ଭ କରିଥିଲି । ଯେତେବେଳେ ମୋତେ କିଛି ହାସଲ କରିବାର ଆଶା ଥାଏ ସେହି ସମୟରେ ମୁଁ ଆହୁରି ଶକ୍ତିଶାଳୀ ହୋଇଯାଏ । ମୋତେ ଧୌର୍ଯ୍ୟର ସହ ଖେଳିବାକୁ ପଡିଲା । ମୁଁ ଶତକ ହାସଲ ପରେ ସନ୍ତୋଷ ମନେ କରୁଛି । 500 ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ସକ୍ଷମ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ।