ସିଡନି: ବାମହାତୀ ଦ୍ରୁତବୋଲର ମିଚେଲ ଷ୍ଟାର୍କ ସୋମବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ସ୍କ୍ବାର୍ଡରେ ସାମିଲ ହେବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ ଓଭାଲରେ ଡିସେମ୍ବର 17ରୁ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ ।

ଭାରତ ବିପକ୍ଷ ଟି-20 ସିରିଜର ପ୍ରଥମ 3ଟି ଟି-20 ମ୍ୟାଚ ପରେ ଅସୁସ୍ଥତା କାରଣରୁ ଅଷ୍ଟ୍ରେଲିଆ ସ୍କ୍ବାର୍ଡ ଛାଡିଥିଲେ ଷ୍ଟାର୍କ । ମାତ୍ର ପ୍ରଥମ ଟେଷ୍ଟ ପୂର୍ବରୁ ସୋମବାର ଟେଷ୍ଟ ସ୍କ୍ବାର୍ଡରେ ସାମିଲ ହେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି ଷ୍ଟାର୍କ । ଏନେଇ ରବିବାର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ(ସିଏ) ପକ୍ଷରୁ ସୂଚନା ଦିଆଯାଇଛି ।
ସେନ ଆବଟ୍ଟ, ଜୋଏ ବର୍ଣ୍ଣସ, କେମରନ ଗ୍ରୀନ, ମାର୍କସ ହାରିସ ଓ ମିଚ ସୁଇପସନଙ୍କ ସହ ଷ୍ଟାର୍କ ଏକ ଚାଟାର୍ଡ ଫ୍ଲାଇଟରେ ଉଡାଣ ଭରିବେ । ଦିବାରାତ୍ର ଟେଷ୍ଟ ପାଇଁ 30 ବର୍ଷୀୟ ଦ୍ରୁତ ବୋଲର ଷ୍ଟାର୍କଙ୍କୁ ପ୍ରସ୍ତୁତ ହେବାକୁ ଦୁଇଦିନ ସମୟ ରହିଛି ।

ଷ୍ଟାର୍କ ପରିବାର ସହ ସମୟ ବିତାଇବାକୁ ଚାହିଁଥିଲେ । ଏପରି କଠିନ ସମୟରେ ପରିବାର ସହ ରହିବାକୁ ଚାହିଁଥିବାରୁ ଖୁସି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗର । ଦିବାରାତ୍ର ଟେଷ୍ଟରେ ଷ୍ଟାର୍କଙ୍କ ଦମଦାର ରେକର୍ଡ ରହିଛି । 7ଟି ମ୍ୟାଚରୁ 42ଟି ୱିକେଟ ଅକ୍ତିଆ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ