ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲକୁ ନେଇ କ୍ରିକେଟ ମହଲରେ ବଢୁଛି ଉଷ୍ମତା । ଆଇସିସିର ଏହି ନୂତନ ଇଭେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲ ନିକଟତର ହେଉଥିବାରୁ ବିଜେତା ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଚଳିତ ମାସ 18ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ବହୁ ପ୍ରତିକ୍ଷୀତ ଫାଇନାଲ ମ୍ୟାଚ ଖେଳାଯିବ । କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ ଖେଳୁଥିବା ସମସ୍ତ ଦେଶ ପରସ୍ପର ମଧ୍ୟରେ ଘରୋଇ ମାଟିରେ ଓ ବିଦେଶରେ ମ୍ୟାଚ ଖେଳିଥିଲେ । ପରେ ଭାରତ ଓ ନ୍ୟୁଜିଲାଣ୍ଡ ସର୍ବାଧିକ ପଏଣ୍ଟ ଓ ବିଜୟ ପ୍ରତିଶତ ଆଧାରରେ ଫାଇନାଲରେ ପହଞ୍ଚିଛନ୍ତି ।
ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଭେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ଭଲ ରହିନାହିଁ । ଆଇସିସି ଇଭେଣ୍ଟରେ ଗତ 18 ବର୍ଷର ରେକର୍ଡ ଏପରି କିଛି ରହିଛି ।
ବର୍ଷ 2003 ବିଶ୍ବକପରେ ତତ୍କାଳୀନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ସଫଳ ହୋଇଥିଲା ଭାରତ ।
ସେହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ଜାହୀର ଖାନ ଘାତକ ବୋଲିଂ ସହ 4ଟି ୱିକେଟ ଅକ୍ତିଆର କରିଥିଲେ ଓ ହରଭଜନ ସିଂହ 2ଟି ୱିକେଟ ନେଇଥିଲେ । ଫଳରେ 146 ରନରେ କିୱିଟିମକୁ ଅଟକାଇବା ପରେ 18 ବର୍ଷ ତଳେ 7 ୱିକେଟରେ ଜିତିଥିଲା ଭାରତ ।
ଏହାପରଠାରୁ ଭାରତ ଆଇସିସି ଇଭେଣ୍ଟରେ ବ୍ଲାକପ୍ୟାପ୍ସ ଠାରୁ ସମସ୍ତ ମ୍ୟାଚ୍ରେ ପରାସ୍ତ ହୋଇଛି ।
ନଜର ପକାନ୍ତୁ ଦୁଇ ଟିମ ମଧ୍ୟରେ ଖେଳାଯାଇଥିବା କିଛି ଚର୍ଚ୍ଚିତ ମ୍ୟାଚ ଉପରେ...
2007 ବିଶ୍ବ ଟି20 ଲିଗ୍ ମ୍ୟାଚ, ଜୋହାନ୍ସବର୍ଗ:
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ବ୍ରେଣ୍ଡନ ମାକ୍ୟୁଲମ 31 ବଲ୍ରୁ 45 ଓ କ୍ରେଗ ମେକମିଲନ 23 ବଲ୍ରୁ 44 ରନ୍ର ଇଂନିସ ଖେଳିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ 190 ରନ୍ କରିଥିଲା ନ୍ୟୁଜିଲାଣ୍ଡ । ମାତ୍ର ଜବାବରେ 180/9 ସହ 10 ରନ ପଛରେ ରହିଯାଇଥିଲା ଭାରତ । ବାମହାତୀ ସ୍ପିନର ଡାନିଏଲ ଭିଟୋରୀ ସ୍ପିନ ଯାଦୁରେ ଧରାଶାୟୀ ହୋଇଥିଲା ଭାରତ । 20 ରନ୍ ବ୍ୟୟରେ 4ଟି ୱିକେଟ ହାସଲ କରି ମ୍ୟାଚ ଅଫ ଦ ମ୍ୟାଚ୍ ହୋଇଥିଲେ ଭିଟୋରୀ ।
2016 ଟି20 ବିଶ୍ବକପ ସୁପର -10 ମ୍ୟାଚ୍, ନାଗପୁର:
ସ୍ପିନ ଅନୂକୁଳ ପିଚ୍ରେ ନିର୍ଦ୍ଧାରିତ 20 ଓଭରରେ 126/7ରେ ନ୍ୟୁଜିଲାଣ୍ଡକୁ ରୋକିଥିଲେ ଭାରତୀୟ ବୋଲର । କୋରି ଆଣ୍ଡରସନ 42 ବଲ୍ରେ 34 ଓ ଲୁକ ରୋଞ୍ଚି 11ବଲ୍ରୁ 21 ରନର ଉପଯୋଗୀ ଯୋଗଦାନ କରିଥିଲେ । ମାତ୍ର ପରେ ଭ୍ରମଣକାରୀ ଟିମର ତିନି ସ୍ପିନର ଘାତକ ବୋଲିଂ ସହ ଭାରତକୁ 79 ରନର୍ ଅଲଆଉଟ କରିଥିଲେ । ନାଥନ ମାକ୍ୟୁଲମ, ମିଚେଲ ସାଣ୍ଟନର ଓ ଇଶ ଶୋଧୀ 9ଟି ୱିକେଟକୁ ବାଣ୍ଟି ନେଇଥିଲେ । ନ୍ୟୁଜିଲାଣ୍ଡ 47 ରନ୍ରେ ବିଜୟୀ ହୋଇଥିଲା ।
2019 50 ଓଭର ବିଶ୍ବକପ ସେମିଫାଇନାଲ:
ଏହି ମ୍ୟାଚ୍ ଭାରତ ପାଇଁ ସବୁଠୁ ହୃଦୟବିଦାରକ ଥିଲା । ପୁରା ଟୁର୍ଣ୍ଣାମେଣ୍ଟରେ ଲିଗ୍ ପର୍ଯ୍ୟାୟରେ କେବଳ ଇଂଲଣ୍ଡ ଠାରୁ ପରାଜିତ ହୋଇଥିବା ବିରାଟ କୋହଲିଙ୍କ ନେତୃତାଧୀନ ଟିମ ଇଣ୍ଡିଆ 15 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା ଓ ବିଶ୍ବକୁ ଟାଇଟେଲ ବିଜୟର ପ୍ରବଳ ଦାବିଦାର ଥିଲା । ମାତ୍ର ଖରାପ ପାଗ ଯୋଗୁଁ ବିରାଟ ବାହିନୀର ବିଜୟ ରଥ ସାମାନ୍ୟ ଅଟକିଥିଲା ।
କେନ ୱିଲିୟମସନଙ୍କ 95 ବଲ୍ରୁ 67, ରସ ଟେଲରଙ୍କ 90 ବଲ୍ରୁ 74 ଓ ହେନରୀ ନିକେଲାସଙ୍କ 51 ବଲ୍ରୁ 28 ରନ୍ର ଇଂନିସ ବଳରେ କିୱି ଟିମ 35.1 ଓଭର ସୁଦ୍ଧା 134/2 ସହ ସୁବିଧା ସ୍ଥିତିରେ ରହିଥିଲା । ମାତ୍ର ପରେ 239 ରନର୍ ସୀମିତ ରହିଥିଲା । ଭୁବନେଶ୍ବର କୁମାରଙ୍କ 3ଟି ୱିକେଟ ଦଖଲ ନ୍ୟୁଜିଲାଣ୍ଡକୁ 150 ରନ ମଧ୍ୟରେ ସୀମିତ ରଖିବାକୁ ସହାୟକ ହୁଏ । ତେବେ ରିଜର୍ଭ ଡେ'ରେ ବ୍ୟାଟିଂ କରିଥିବା ଭାରତ ମାତ୍ର 5 ରନ୍ ମଧ୍ୟରେ ଶୀର୍ଷକ୍ରମର 3ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରେ । ରବିନ୍ଦ୍ର ଜାଡେଜାଙ୍କ ଲଢୁଆ 59 ବଲ୍ରୁ 77 ରନ ଭାରତକୁ 221 ପର୍ଯ୍ୟନ୍ତ ନେଇଯାଇଥିଲା । ମାତ୍ର ବିଜୟ ଠାରୁ 18 ରନ ଦୂରରେ ରହିଯାଇଥିଲା ଭାରତ । ନିଜର ଶେଷ ବିଶ୍ବକପ ମ୍ୟାଚ ଖେଳିଥିବା ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହେବାପରେ ଭାରତର ଶେଷ ଆଶା ଧୂଳିସାତ ହୋଇଯାଇଥିଲା ।
WTC ଦୁଇ ଟିକିଆ ଟେଷ୍ଟ ସିରିଜ, ନ୍ୟୁଜିଲାଣ୍ଡ 2020:
ଭାରତ ପ୍ରଥମ ଟେଷ୍ଟକୁ 10 ୱିକେଟରେ ୱେଲିଂଟନରେ ହାରିଥିଲା । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ 68.1 ଓଭରରେ 165 ରନ କରିପାରିଥିଲା । ଟିମ ସାଉଦୀ ଓ କେଲ ଜେମିଏସନ 4ଟି ଲେଖାଏଁ ୱିକେଟ ହାସଲ କରି ଭାରତକୁ ପରାଜୟ ମୁହଁକୁ ଠେଲିଦେଇଥିଲେ । ପରେ କ୍ୟାପଟେନ କେନ ୱିଲିୟମସନ୍ଙ୍କ 89 ରନ ବଳରେ 348 ରନର ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । 183 ରନର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିବା ପରେ ମାତ୍ର 191 ରନରେ ସମସ୍ତ ୱିକେଟ ହରାଇଥିଲା ଭାରତ । ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ମୟଙ୍କ ଅଗ୍ରୱାଲ 58 ରନ୍ର ଇଂନିସ ଖେଳିଥିଲେ ।
ପରେ ଦ୍ବିତୀୟ ଟେଷ୍ଟ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଇଥିଲା ଓ ଭାରତ ଏହାକୁ 7 ୱିକେଟରେ ହାରିଥିଲା । ପ୍ରଥ ଇଂନିସରେ 242 ରନ ସଂଗ୍ରହ କରିଥିଲେ ମଧ୍ୟ ଦ୍ବିତୀୟ ଇଂନିସରେ ମାତ୍ର 124ରେ ଅଲଆଉଟ ହୋଇଯାଇଥିଲା ଟିମ । ମହମ୍ମଦ ସାମି 4ଟି ଓ ଜଶପ୍ରୀତ ବୁମରା 3ଟି ୱିକେଟ ନେଇ 7 ରନର ପ୍ରଥମ ଇଂନିସ ଅଗ୍ରଣୀ ମଧ୍ୟ ଦେଇଥିଲେ । ମାତ୍ର ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ପରାଜିତ ହୋଇଥିଲା ବିରାଟବାହିନୀ । ଟିମ ସାଉଦୀ(3/36) ଓ ଟ୍ରେଣ୍ଟ ବୋଲ୍ଟ(4/28) ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ