କଲମ୍ବୋ: ଦ୍ବିତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୧୩୩ ରନ ଟାର୍ଗେଟ ଦେଇଛି ଭାରତୀୟ ଦଳ । ଆରମ୍ଭରୁ ହିଁ ଭାରତ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲା । ଯାହା ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ରହିଥିଲା । ସେପଟେ ଶ୍ରୀଲଙ୍କା ଦଳ ବୋଲର ମଧ୍ୟ ସଠିକ ଲାଇନ ଓ ଲେନ୍ଥରେ ବୋଲିଂ କରିଥିଲେ, ଯାହା ଫଳରେ ଭାରତୀୟ ବ୍ୟାଟ୍ସମ୍ୟାନ ବଡ଼ ସଟ୍ ଖେଳିବାରେ ବିଫଳ ରହିଥିଲେ ।
ଶ୍ରୀଲଙ୍କା ଦଳ ପ୍ରଥମେ ଟସ୍ ଜିତି ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ୭ ଓଭରରେ ଦଳୀୟ ସ୍କୋର ୪୯ ରନ ହୋଇଥିବା ବେଳେ ଭାରତ ତାର ପ୍ରଥମ ୱିକେଟ ହରାଇଥିଲା । ପୃ୍ଥ୍ବୀ ଶ' ମାତ୍ର ୨୧ ରନ୍ କରି ପାଭେଲିୟନକ ଫେରିଥିଲେ । ଏହାପରେ ଦେବଦତ୍ତ ପାଦ୍ଦିକଲ ଓ ଶିଖର ଧାୱନଙ୍କ ମଧ୍ୟରେ ମାତ୍ର ୩୨ ରନ ଭାଗିଦାରୀ ହୋଇଥିଲା । ୮୧ ରନରେ ଭାରତର ଦ୍ବିତୀୟ ୱିକେଟ ହରାଇଥିଲା । ଅଧିନାୟକ ଶିଖର ଧାୱନ ୪୦ ରନ କରି ଆଉଟ ହୋଇଥିଲେ । ଏହାପରେ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ଓ ବଡ଼ ସଟ ଖେଳିବାରେ ସଫଳ ହୋଇ ପାରିନଥିଲେ ।
ତୃତୀୟ ୱିକେଟ ଭାବରେ ଦେବଦତ୍ତ ପାଦ୍ଦିକଲ ୨୯ ରନ କରି ଆଉଟ ହୋଇଥିଲେ । ଏହାପରେ ସଞ୍ଜୁ ସାମସନ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ନୀତିଶ ରାଣା ମଧ୍ୟ ୭ ରନ କରି ଧନଞ୍ଜୟଙ୍କ ବଲରେ ବୋଲ୍ଡ ହୋଇଥିଲେ । ଏହାପରେ ଭୁବନେଶ୍ବର କୁମାରଙ୍କ ୧୩ ରନ ବଳରେ ଭାରତ ୫ ୱିକେଟ ହରାଇ ମାତ୍ର ୧୩୨ ରନ ହିଁ କରି ପାରିଥିଲା ।
ସେପଟେ ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ଦୁଇଟି ୱିକେଟ ନେଇଥିବା ବେଳେ ଦୁଶ୍ମନ୍ତ ଚମିରା, ୱନିନ୍ଦୁ ହାସାରଙ୍ଗା, ଡାସୁନ ଶନକ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ