ହାଇଦ୍ରାବାଦ: ଯଦି ଆମେ ହ୍ବାଇଟ୍ ବଲ କ୍ରିକେଟ ଇତିହାସ ଉପରେ ନଜର ପକାଇବା ତାହେଲେ ଏଥିରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି । ଏଭଳି କହି ଭାରତକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଇଂଲିସ୍ ଟିମ୍ର ପୂର୍ବତନ ଅଧିନାୟକ ମାଇକେଲ ଭନ୍ । ଏହା ସହିତ ସେ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ସେପଟେ ବଟଲର ବାହିନୀର ୧୦ ୱିକେଟର ସହଜ ବିଜୟକୁ ଭୂୟସୀ ପ୍ରଶଂସା କରିଛନ୍ତି ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ ।
୨୦୨୨ ଟି୨୦ ବିଶ୍ବକପ ଜିତିବା ସ୍ବପ୍ନ ଭାରତର ଧୂଳିସାତ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ଭାରତ ବିଦା ହେବା ପରେ ଟିମ୍ ଇଣ୍ଡିଆକୁ ଏବେ ବହୁ ଆଲୋଚନା ଓ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଇଂଲଣ୍ଡଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହେବା ପରେ ମେନ୍ ଇନ୍ ବ୍ଲୁର ରଣନୀତିକୁ ନେଇ ବିବାଦୀୟ ବୟାନ୍ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ।
ସେ "ଦି ଟେଲିଗ୍ରାଫ" ନାମକ ଏକ ଇଂରାଜୀ ଖବରକାଗଜ ସ୍ତମ୍ଭରେ ଲେଖିଛନ୍ତି, "ଧଳା ବଲ୍ କ୍ରିକେଟ ଇତିହାସରେ ଭାରତ ସବୁଠୁ ଦୁର୍ବଳ ପ୍ରଦର୍ଶନ କରିବା ଟିମ୍ । ହ୍ବାଇଟ୍ ବଲରେ ଖେଳିବା ପାଇଁ ଭାରତ ପାଖରେ କମ୍ ଦକ୍ଷତା ରହିଛି । କ୍ରକେଟ ଇତିହାସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ହ୍ବାଇଟ୍ ବଲରେ ଭାରତର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ ।"
ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, "ନିଜ ମାଟିରେ ଭାରତ ୨୦୧୧ ଦିନିକିଆ ବିଶ୍ବକପ ଜିତିବା ପରେ ଆଉ ଅଧିକ କଣ କରିଛି । ଟିମ୍ ଇଣ୍ଡିଆ ଆଉ କିଛି କରି ପାରିନାହିଁ । ଭାରତ ହ୍ବାଇଟ୍ ବଲରେ ଦୀର୍ଘ ଦିନ ଧରି କେବଳ ଖେଳୁଛି ହେଲେ କେବେ ସଫଳ ହୋଇପାରୁନାହିଁ ।"
ସେହିପରି ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ଉପରେ ଆଙ୍ଗୁଠି ଉଠାଇଛନ୍ତି ଇଂଲଣ୍ଡର ଏହି ପୂର୍ବତନ କ୍ରିକେଟର । ସେ କହିଛନ୍ତି, "ଟିମ୍ ଇଣ୍ଡିଆ ପାଖରେ ଦକ୍ଷ ଖେଳାଳି ଅଛନ୍ତି ହେଲେ ଦଳ ତାଙ୍କ ଦକ୍ଷତାକୁ ଠିକ୍ ଭାବରେ ଉପଯୋଗ କରିପାରୁନାହିଁ ।" ଭାରତର ବୋଲିଂ ବିଭାଗକୁ ନେଇ ପ୍ରଶ୍ନ କରିଛନ୍ତି, "ପ୍ରଥମ ୫ ଓଭର ଭାରତ ୱିକେଟ ନେବାରେ ବିଫଳ ରହୁଛି । ୧୦ ରୁ ୧୫ ବର୍ଷ ପୂର୍ବେ ଭାରତର ଶୀର୍ଷ ଛଅ ବ୍ୟାଟିଂ ଅର୍ଡର ତଥା ସଚିନ୍ ତେନ୍ଦୁଲକୁର, ସୁରେଶ ରୈନା, ବିରେନ୍ଦ୍ର ସେହ୍ବାଗ ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ବୋଲିଂ କରିପାରୁଥିଲେ ତାହେଲେ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ କେଉଁ ଭଳି ଭାବରେ ୫ ଜଣ ବୋଲରଙ୍କ ଉପରେ ଭରସା କରି ଅଷ୍ଟ୍ରେଲିଆ ଗସ୍ତ କରିଥିଲା ।"
"ସେପଟେ ଲେଗ୍ ସ୍ପିନର ୟୁଜିବେନ୍ଦ୍ର ଚହଲଙ୍କୁ ନଖେଳାଇବାର ପରିଣାମ ଭୋଗୁଛି ଭାରତ । ଟି-୨୦ ବିଶ୍ବକପରେ ଗୋଟିଏ ମ୍ୟାଚରେ ଗୋଟିଏ ସ୍ପିନର ଆବଶ୍ୟକ ରହିଛି । ଭାରତ ପାଖରେ ବହୁତ ଜଣ ଲେଗ୍ ସ୍ପିନର ରହିଛନ୍ତି ।" ହେଲେ ସେମାନେ କାହାଁନ୍ତି ବୋଲି ମାଇକେଲ ଭନ୍ ପ୍ରଶ୍ନ କରିଛନ୍ତି । ଦରକାର ସମୟରେ ସେମାନଙ୍କୁ ସୁଯୋଗ ମିଳୁନାହିଁ ।"
ଯାହାର ପରିଣାମ ଭାରତ ବଡ ବଡ ଟୁର୍ଣ୍ଣାମେଣ୍ଟରେ ଭୋଗୁଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କ ଅନୁପସ୍ଥିତିର ପ୍ରଭାବ ମଧ୍ୟ ଦଳ ଉପରେ ପଡିଛି । ଆଗକୁ ଦିନିକିଆ ବିଶ୍ବକପ ଖେଳାଯିବ । ସେଥିରେ ଦଳକୁ ଟାଇଟଲ ହାତେବାକୁ ହେଲେ ଦଳର କ୍ଷମତାକୁ ସମୀକ୍ଷା କରିବାକୁ ପଡିବ । ଦଳର ବୋଲିଂ ବିକଳ୍ପ ବହୁତ କମ୍ ରହୁଛି । ବ୍ୟାଟିଂରେ ବଡ ଟାର୍ଗେଟ ଦେବାକୁ ଅସଫଳ ରହୁଛନ୍ତି । ତେବେ ଆଗାମୀ ବିଶ୍ବକପ ପାଇଁ ଦଳକୁ ଦୁର୍ବଳତାକୁ ତାଙ୍କ ସମ୍ମୁଖରେ ହିଁ ପ୍ରକାଶ କରିବା ଦରକାର ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ।