ଆଣ୍ଟିଗୁଆ: ୧୯ ବର୍ଷରୁ କମ ବିଶ୍ବ କପ (Under-19 World Cup) ସେମିଫାଇନାଲ ସମରରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଅଷ୍ଟ୍ରେଲିଆ । ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ ୯୬ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ବିଜୟ ସହ ଅଷ୍ଟମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ ।
ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତୀୟ ଦଳ । ୩୭ ରନ ମଧ୍ୟରେ ୨ଟି ୱିକେଟ ହରାଇଥିଲା ଭାରତ । ଦୁଇ ଓପନର ରଘୁବଂଶୀ ୬ ଓ ହାରନୁର ସିଂହ ୧୬ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ରସିଦ ଓ ୟଶ ପଡିଆକୁ ଓହ୍ଲାଇଥିଲେ । ଉଭୟ କ୍ରିଜରେ ସେଟ ହେବା ପରେ ଆରମ୍ଭ ହୋଇଯାଇଥିଲା ରନ ବର୍ଷା । ଉଭୟ ମିଶି ବୋଲରଙ୍କୁ ନାକେଦନ କରିଥିଲେ । ବଲକୁ ବାଉଣ୍ଡରୀ ପଠାଇବାରେ ହେଳା କରିନଥିଲେ । ଅଧିନାୟକ ଧୂଳ ଧୂଆଁଧାର ବ୍ୟାଟିଂ କରି ୧୦୬ ବଲରେ ଶତକ ହାସଲ କରିଥିଲେ । ଏହା ସହିତ ଶୈଖ ରସିଦଙ୍କ ଦମଦାର ଅର୍ଦ୍ଧଶତକ ଦଳୀୟ ସ୍କୋରକୁ ଆଗକୁ ନେଇଥିଲା । ୨୪୧ ରନ ବେଳେ ବ୍ୟକ୍ତିଗତ ୧୧୦ ରନ କରି ଆଉଟ ହୋଇଥିଲେ କ୍ୟାପଟେନ ଧୂଳ । ପରେ ପରେ ୯୪ ରନ କରି ରସିଦ ମଧ୍ୟ ଆଉଟ ହୋଇଥିଲେ ।
ଦଳୀୟ ସ୍କୋରକୁ ଆଗକୁ ନେବାକୁ ରାଜବର୍ଦ୍ଧନ ହଙ୍ଗାରଗେକର ୧୩(୧୦), ନିସାନ୍ତ ସିଦ୍ଧୁ ୧୨(୧୦) ଏବଂ ଦିନେଶ ବାନା ୨୦(୪) ରନ ଯୋଡି ଥିଲେ । ୨୯୦ରନ କରି ୫ ୱିକେଟ ହରାଇ ଅଷ୍ଟେଲିଆକୁ ୨୯୧ ରନ ବିଜୟ ଲକ୍ଷ୍ୟ ଦେଇଥିଲା ଟିମ ଇଣ୍ଡିଆ ।
୨୯୧ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ଦଳୀୟ ସ୍କୋର ୨୦୦ ଛୁଇଁ ପାରି ନଥିଲା । ମାତ୍ର ୧୯୪ରେ ଅଟକି ଯାଇଥିଲା ଅଷ୍ଟ୍ରେଲିଆ ରନ ଗାଡି । ଲଚଲନ ୫୧, କ୍ୟାମ୍ପବେଲ ୩୦, କୋରେ ମିଲର ୩୧, ସିନ ଫିଲ୍ଡ ୨୦ ଓ ଟିମ ହ୍ବିଟନା ୧୯ ରନ କରିଥିଲେ । ଭାରତ ପକ୍ଷରୁ ଭିକି ଓଷ୍ଟୱାଲ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।
ଏହା ବି ପଢନ୍ତୁ Under-19 World Cup: ୨୪ ବର୍ଷ ପରେ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ
ସେପଟେ ଆଫଗାନିସ୍ତାନକୁ ୧୫ ରନରେ ହରାଇ ୨୪ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଶନିବାର ଖେଳାଯିବାକୁ ଯିବା ଫାଇନାଲ ଫାଇଟରେ ଇଂଲଣ୍ଡକୁ ଭେଟିବ ଭାରତ ।