ଦୁବାଇ: ସଦ୍ୟ ସମାପ୍ତ ଟି-୨୦ ବିଶ୍ବକପରେ ନିଆରା ରେକର୍ଡ । ଅନଲାଇନରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି ଫଟାଫଟ କ୍ରିକେଟ ମହାକୁମ୍ଭ । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟ ୫ ବର୍ଷ ପରେ ଫେରିଥିଲା । ଫଳରେ ବିଶ୍ବତମାମ କ୍ରିକେଟ ଓ ଖେଳପ୍ରେମୀ ଏହି ଟୁର୍ଣ୍ଣାମେଣ୍ଟକୁ ଉତ୍ସାହର ସହ ଉପଭୋଗ କରିଛନ୍ତି ।
UAE ଓ ଓମାନରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଇଥିଲା, ଫଳରେ ବିଶ୍ବର ନଜର ଏହି ସ୍ଥାନରେ କେନ୍ଦ୍ରୀଭୂତ ହୋଇଥିଲା । ବିଶ୍ବର ଅନେକ ସ୍ଥାନରେ ଟେଲିଭିଜନ ଦର୍ଶକ ରେକର୍ଡ ଭଙ୍ଗ କରିଛି ଏହି ଟୁର୍ଣ୍ଣାମେଣ୍ଟ । ହାଇଭୋଲଟେଜ ଭାରତ ଓ ପାକିସ୍ତାନ ମ୍ୟାଚ୍ ଟେଲିଭିଜନ ସ୍କ୍ରୀନରେ ୧୬୭ ମିଲିଅନ ଓ ରେକର୍ଡ ୧୫.୯ ବିଲିଅନ ମିନିଟ ଭାରତରେ ଷ୍ଟାର ଇଣ୍ଡିଆ ନେଟୱାର୍ଟରେ ଦେଖାଯାଇଛି ।
ଟି-୨୦ କ୍ରିକେଟ ଇତିହାସରେ ଏହି ମ୍ୟାଚ୍ ମଧ୍ୟ ସର୍ବାଧିକ ଦର୍ଶକ ଦେଖିଥିବା ମ୍ୟାଚ୍ ହୋଇଛି । ଏହାପୂର୍ବରୁ ୨୦୧୬ ସଂସ୍କରଣରେ ଭାରତରେ ଆୟୋଜିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଓ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ ଥିଲା ସର୍ବାଧିକ ସଂଖ୍ୟକ ଦର୍ଶକ ଦେଖିଥିବା ଟି-୨୦ ମ୍ୟାଚ୍ । ଏନେଇ ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ