ମାଉଣ୍ଟ ମୋନଗାନୁଇ: ଚଳିତ ICC ମହିଳା କ୍ରିକେଟ ଦିନିକିଆ ବିଶ୍ବକପରେ ଆଜି (ବୁଧବାର) 15 ତମ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ମ୍ୟାଚରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ଭେଟିଛନ୍ତି । ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟଂ ବିପର୍ଯ୍ୟର ଶିକାର ହୋଇଛି ଟିମ ଇଣ୍ଡିଆ । ମାତ୍ର ୩୬ ଓଭର ଖେଳି ଅଲଆଉଟ ହୋଇଛି ଭାରତ । ଇଂଲଣ୍ଡକୁ ୧୩୫ ରନର ଟାର୍ଗେଟ ଦେଇଛି ଟିମ । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ସର୍ବାଧିକ ୩୫ ରନ କରିଛନ୍ତି ।
ବ୍ୟାଟିଂ ଆମନ୍ତ୍ରଣ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ୟାସ୍ତିକା ଭାଟିଆ ଓ ସ୍ମୃତି ମାନ୍ଧାନା ପାଳି ଆରମ୍ଭ କରିଥିଲେ । ସ୍ମିତ ଓ ୟାସ୍ତିକା ଦଳୀୟ ରନ ଗାଡିକୁ ଗଡାଇ ନେଉଥିଲେ । ଏହାପରେ ଓପନର ୟାସ୍ତିକା ଅନ୍ୟା ଶ୍ରୁବସଲଙ୍କ ବଲରେ ଆଉଟ ହୋଇଥିଲେ । ଦଳୀୟ ସ୍କୋର ୧୮ ବେଳେ ଦଳ ପ୍ରଥମ ୱିକେଟ ହରାଇଥିଲା । ୟାସ୍ତିକା ୧୧ଟି ବଲ ଖେଳି ୮ ରନ କରି ସଅଳ ପାଭିଲନିଅନ ଫେରିଥିଲେ । ଏହାପରେ କ୍ୟାପଟେନ ମିତାଲି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ମିତାଲି ମଧ୍ୟ କିଛି ବିଶେଷ ପ୍ରଦର୍ଶନ କରି ପାରିଲେ ନାହିଁ । ୫ଟି ବଲ ଖେଳି ୧ ରନ କରି ଅନ୍ୟା ଶ୍ରୁବସଲଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ପଛକୁ ପଛ ଦିପ୍ତୀ ଶର୍ମା ଖାତା ଖୋଲି ପାରି ନ ପାରି ପାଭିଲିୟନ ଫେରିଥିଲେ । ପାୱାର ପ୍ଲେ ଶେଷ ସୁଦ୍ଧା ଦଳର ୩୭ ରନରେ ୩ ୱିକେଟ ପତନ ହୋଇସାରିଥିଲା ।
ଏହା ପରେ ହରମନପ୍ରୀତ କୌର ଓ ସ୍ମୃତି ମାନ୍ଧାନା ସ୍ଥିତି ସମ୍ଭାଳି ଖେଳିଥିଲେ । ଚାର୍ଲି ଡିନଙ୍କ ବଲରେ ହରମନପ୍ରୀତ କୌର ଆଉଟ ହୋଇଥିଲେ । ୨୬ଟି ବଲ ଖେଳି ୧୪ ରନ କରି ନିରାଶ କରିଥିଲେ ହରମନପ୍ରୀତ । ଦଳ ଏକ ପ୍ରକାର ବ୍ୟାଟଂ ବିପର୍ଯ୍ୟସ୍ତର ସାମ୍ନା କରିଥିଲା । ପଛକୁ ପଛ ସ୍ନେହ ରାଣା ଖାତା ଖୋଲି ନପାରି ଆଉଟ ହୋଇଥିଲେ । 16 ଓଭର ବେଳକୁ ମାତ୍ର ୬୧ ରନରେ ଦଳ ୫ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହା ପରେ ସ୍ମୃତି ମାନ୍ଧାନା ୩୫ ରନ କରି ଏଲବିଡ୍ଲ୍ୟୁ ହୋଇଥିଲେ । ପଛକୁ ପୂଜା ବସ୍ତ୍ରକର ୬ ରନ, ରିଚା ଘୋଷ ୩୩ ଝୁଲଣ ଗୋସ୍ବାମୀ ୨୦ ରନ ଓ ମେଘନା ସିଂହ ୩ ରନ କରି ଆଉଟ ହୋଇଥିଲେ । ସମୁଦାୟ ୩୬ ଓଭର ଖେଳି ଅଲଆଉଟ ହୋଇଥିଲା ଭାରତ ।
ଇଂଲଣ୍ଡକୁ ୧୩୫ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ । ଭାରତ ବ୍ୟାଟିଂରେ ବିଫଳ ହୋଇଛି । ମ୍ୟାଚକୁ ଜିତିବାକୁ ହେଲେ ବୋଲିଂରେ ସମସ୍ତ ତ୍ରୁଟି ସୁଧାରିବାକୁ ପଡିବ । ପୂର୍ବ ମ୍ୟାଚରେ ଭାରତ ଇଣ୍ଡିଜକୁ ବୃହତ ରନ ବ୍ୟବଧାନରେ ପରାସ୍ତ କରିଥିଲା । ଏ ମ୍ୟାଚକୁ ଭାରତ ହାତରେ ରହୁଛି ନା ଖସୁଛି ତାହା ଅନ୍ତିମରେ ସ୍ପଷ୍ଟ ହେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ