ଦୁବାଇ: ନ୍ୟୁଜିଲାଣ୍ଡ ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ବୁଧବାର ପ୍ରକାଶିତ ଆଇସିସି ପୁରୁଷ ଟେଷ୍ଟ ଖେଳାଳି ମାନ୍ୟତାରେ 447 ରେଟିଂ ପଏଣ୍ଟ ସହ 77ସ୍ଥାନରେ ପହଞ୍ଚିଛନ୍ତି । ଏହା ଜଣେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଭାବେ ଡେବ୍ୟୁ ଟେଷ୍ଟରେ ସର୍ବାଧିକ ହୋଇଥିବା ବେଳେ ସାମଗ୍ରୀକ ଭାବେ ଡେବ୍ୟୁ ମ୍ୟାଚରେ ତୃତୀୟ ସର୍ବାଧିକ ।
ଭାରତୀୟ କ୍ୟାପଟେନ ବିରାଟ କୋହଲି, ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଓପନର ରୋହିତ ଶର୍ମା ସେମାନଙ୍କର ପଞ୍ଚମ, ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ରୋହିତ ଓ ପନ୍ତ ଯୁଗ୍ମ ଭାବେ ବ୍ୟାଟିଂ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛନ୍ତି ।
29 ବର୍ଷୀୟ କନୱେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇଂନିସରେ ଦ୍ବିଶତକ ଓ ଦ୍ବିତୀୟ ଇଂନିସରେ 23 ରନର୍ ଇଂନିସ ଖେଳିଥିଲେ ।
ପୂର୍ବରୁ ଇଂଲଣ୍ଡର ଆରଇ ଫୋଷ୍ଟର ଅଷ୍ଟ୍ରେଲିଆ ବିପକ୍ଷରେ 1903ରେ ସିଡନୀ ଟେଷ୍ଟରେ ଡେବ୍ୟୁ ମ୍ୟାଚରେ 287 ରନ୍ର ଇଂନିସ ଖେଳି ରେକର୍ଡ 449 ରେଟିଂ ପଏଣ୍ଟ ହାସଲ କରିଥିଲେ ।
ୱେଷ୍ଟଇଣ୍ଡିଜର କେଲ ମେୟର୍ସ ଚଳିତ ବର୍ଷ ଫେବୃଆରୀରେ ଚିଟ୍ଟାଗାଙ୍ଗରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ 40 ଓ ଅପରାଜିତ 210 ରନ ଇଂନିସ ଖେଳି 448 ପଏଣ୍ଟ ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ