ମୁମ୍ବାଇ: ବିଶ୍ବକପ୍ ଶେଷ ହୋଇ ୩-୪ଟା ସିରିଜ୍ ଖେଳି ସାରିଲାଣି ଟିମ୍ ଇଣ୍ଡିଆ । ହେଲେ ଏପର୍ଯ୍ୟନ୍ତ ଫିଟ୍ ହୋଇପାରୁନାହାନ୍ତି ବିସିସିଆଇର ଫେବ୍ରେଟ୍ ପ୍ଲେୟର ହାର୍ଦ୍ଦିକ ପାଣ୍ଡ୍ୟା । ଏପରିକି ଆଫଗାନିସ୍ତାନ ବିପକ୍ଷ ସିରିଜ ଓ ଆଇପିଏଲ୍ ୨୦୨୪ରୁ ମଧ୍ୟ ବାଦ ପଡ଼ିପାରନ୍ତି ପାଣ୍ଡ୍ୟା । ଏନେଇ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଏବେ ମୁମ୍ବାଇ ଇଣ୍ଡିଆନ୍ସର ଚିନ୍ତା ବଢ଼ାଇଛି । କାରଣ ଆଇପିଏଲ୍ ୨୦୨୪ ପାଇଁ ହୋଇଥିବା ମିନି ଅକ୍ସନ ପୂର୍ବରୁ ହିଁ ରୋହିତଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା ଫ୍ରାଞ୍ଚାଇଜ୍ । ଆଉ ଯଦି ପାଣ୍ଡ୍ୟା ଆଇପିଏଲ୍ ନଖେଳନ୍ତି, ତେବେ ମୁମ୍ବାଇ କଣ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା: ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରୁ ଟିମ ଇଣ୍ଡିଆର ଷ୍ଟାର ଟି୨୦ ପ୍ଲେୟର ସୂର୍ଯ୍ୟକୁମାର ଯାଦବ ବାଦ ପଡ଼ିଛନ୍ତି । ଆହତ ଜନିତ ସମସ୍ୟା ଯୋଗୁଁ ସେ ଏହି ସିରିଜରୁ ବାଦ ପଡିଛନ୍ତି । ତାଙ୍କର ଗୋଇଠିରେ ଆଘାତ ଲାଗିଛି । ସାଉଥ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ଫିଲ୍ଡିଂ ସମୟରେ ଆହତ ହୋଇଥିଲେ ସୂର୍ଯ୍ୟକୁମାର । ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି ୬ ସପ୍ତାହ ଲାଗିବ । ତେଣୁ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଖେଳିବେ ନାହିଁ ବୋଲି କୁହାଯାଉଛି । ଏପଟେ ହାର୍ଦ୍ଦିକଙ୍କ ଫିଟ୍ ହୋଇନପାରିବା ଖବର ଟିମ୍ ଇଣ୍ଡିଆକୁ ଡବଲ୍ ଝଟ୍କା ବୋଲି କୁହାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ...କ୍ୟାପ୍ଟେନ୍ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା MI
ମୁମ୍ବାଇ ଇଣ୍ଡିଆନ୍ସ ମୁଣ୍ଡରେ ଚଡ଼କ: ଏହି ରିପୋର୍ଟ ଅନୁସାରେ ଆଗାମୀ ଆଇପିଏଲ୍ ୨୦୨୪ରୁ ମଧ୍ୟ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ନିକଟରେ ଶେଷ ହୋଇଥିବା ଆଇପିଏଲ୍ ମିନି ଅକ୍ସନ ପୂର୍ବରୁ ହାର୍ଦ୍ଦିକଙ୍କୁ ଗୁଜରାଟ ଟାଇଟନ୍ସ ଠାରୁ ଟ୍ରେଡ୍ ଜରିଆରେ ଆଣିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ରୋହିତ ଶର୍ମାଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା ଫ୍ରାଞ୍ଚାଇଜ୍ । ଏଥିପାଇଁ ଦଳକୁ ସୋସିଆଲ୍ ମିଡିଆରେ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି ଲକ୍ଷ ଲକ୍ଷ ପ୍ରଶଂସକ ଦଳକୁ ଅନଫଲୋ ମଧ୍ୟ କରିଦେଇଥିଲେ । ହେଲେ ଯଦି ଆଇପିଏଲ୍ ୨୦୨୪ ପୂର୍ବରୁ ହାର୍ଦ୍ଦିକ ସୁସ୍ଥ ନହୁଅନ୍ତି, ହୁଏତ ରୋହିତ ପୁଣିଥରେ ନେତୃତ୍ବ ନେବାକୁ ରାଜି ହୋଇନପାରନ୍ତି । ଏଭଳି ସ୍ଥିତିରେ ମ୍ୟାନେଜ୍ମେଣ୍ଟ କଣ କରିବ, ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ବାଦ ପଡିଲେ SKY
ବିଶ୍ବକପ୍ରେ ଆହତ ହୋଇଥିଲେ ପାଣ୍ଡ୍ୟା: ପ୍ରକାଶ ଥାଉ, ଦିନିକିଆ ବିଶ୍ବକପ୍ ୨୦୨୩ରେ ବାଂଲାଦେଶ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ବୋଲିଂ ସମୟରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ବୋଲିଂ ସମୟରେ ଏକ ବଲ୍କୁ ଫିଲ୍ଡିଂ କରିବାକୁ ଯାଇ ଆହତ ହୋଇଥିଲେ । ଏହାପରେ ସେ ବିଶ୍ବକପ୍ରୁ ବାଦ୍ ପଡ଼ିଥିଲେ । ତାଙ୍କ ସ୍ଥାନରେ ଦଳରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଥିଲା । ଆହତ ସମସ୍ୟା ଏତେ ଗୁରୁତର ଥିଲା ଯେ, ହାର୍ଦ୍ଦିକ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରୁ ମଧ୍ୟ ବାଦ୍ ପଡିଥିଲେ । ଏହାପରେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବା ନେଇ ସୂଚନା ଆସିଥିଲା । ହେଲେ ଏବେ ସେହି ଚର୍ଚ୍ଚାରେ ଏକପ୍ରକାର ଅନ୍ତ ଘଟିଛି । ଏତେ ଶୀଘ୍ର ହାର୍ଦ୍ଦିକ ପଡିଆକୁ ଫେରିବା ନେଇ ଆଉ ଆଶା ନାହିଁ । ତେବେ ବିସିସିଆଇ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ