ହାଇଦ୍ରାବାଦ: ଫାଷ୍ଟ ବୋଲର ଜଶପ୍ରିତ ବୁମରା ( Jasprit Bumrah ) ଟି-୨୦ ବିଶ୍ବକପରୁ ବାଦ ପଡି ଦଳକୁ ଏକ ଶକ୍ତ ଝଟକା ଦେଇଛନ୍ତି । ତେବେ ଆହତ ସମସ୍ୟା ଦେଇ ଗତି କରୁଥିବା ବୁମରା ନିଜେ ବିଶ୍ବକପରୁ ବାଦ ପଡିବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସେ ଏକ ଟ୍ବିଟ କରି ଲେଖିଛନ୍ତି " ମୁଁ ଏଥି ପାଇଁ ଦୁଃଖିତ ଯେ ମୁଁ ଚଳିତ ବର୍ଷ ଟି-୨୦ ବିଶ୍ବକପରେ ଭାଗୀଦାର ହୋଇପାରିବି ନାହିଁ । ହେଲେ ମୋତେ ଶୁଭ ଚିନ୍ତକଙ୍କଠାରୁ ମିଳିଥିବା ଶୁଭକାମନା ଏବଂ ସେମାନଙ୍କ ସମର୍ଥନ ମୁଁ ସେମାନଙ୍କ ନିକଟରେ କୃତଜ୍ଞ । ତେବେ ମୁଁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ ପାଇଁ ମୁଁ ଟିମ ଇଣ୍ଡିଆକୁ ଚିୟର କରିବି ।"
ଗତକାଲି ( ସୋମବାର ) ବିସିସିଆଇ ଜଶପ୍ରିତ ବୁମରାଙ୍କୁ ଟି-୨୦ ବିଶ୍ବକପରୁ ବାଦ ଦେଇଛି । ଅଷ୍ଟେଲିଆରେ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ବକପ ସ୍କ୍ବାଡରେ ବିସିସିଆଇ ପୂର୍ବରୁ ବୁମରାଙ୍କ ନାମ ଘୋଷଣା କରିଥିଲା । ତେବେ ବିସିସିଆଇର ମେଡିକାଲ ଟିମ ବୁମରାଙ୍କ ଫିଟନେସ ଯାଞ୍ଚ ଏବଂ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶ୍ବକପରୁ ବାଦ ଦେଇଛି । ଟିମ ଇଣ୍ଡିଆର ଫାଷ୍ଟ ବୋଲର ଜଶପ୍ରିତ ବୁମରା ଟି-୨୦ ବିଶ୍ବକପରୁ ବାଦ ପଡିବା ନେଇ ଆନୁଷ୍ଠାନିକ ଭାବେ ବିସିସିଆଇ ଘୋଷଣା କରିଛି । ତେବେ ଟି୨୦ ବିଶ୍ବକପରେ ବୁମରାଙ୍କ ବଦଳ ଖେଳାଳିଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । ସେପଟେ ଭାରତୀୟ ବିଶ୍ବକପ ସଦସ୍ୟ ଅକ୍ଟୋବର ୬ ତାରିଖରେ ଅଷ୍ଟ୍ରେଲିଆ ଗସ୍ତ କରିବେ । ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଭାରତ ଟି-୨୦ ବିଶ୍ବକପ ଆରମ୍ଭ କରିବ । ସେହିପରି ଅକ୍ଟୋବର ୨୭ରେ ସିଡନୀରେ କ୍ବାଲିଫାୟର୍ସ ଟିମ ବିପକ୍ଷରେ ଖେଳିବାର ସୂଚୀ ରହିଛି । ସେହିପରି ଅକ୍ଟୋବର ୩୦ରେ ପର୍ଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓ ନଭେମ୍ବର ୨ରେ ବାଂଲାଦେଶକୁ ଆଡିଲେଡ୍ରେ ଭେଟିବ । ଅନ୍ୟପଟେ ଡେଥ ଓଭର ବୋଲିଂକୁ ନେଇ ଦଳ ଚିନ୍ତାରେ ଥିବା ବେଳେ ଜଶପ୍ରିତ ବୁମରାଙ୍କ ଅନୁପସ୍ଥିତି ଟିମ ଇଣ୍ଡିଆର ବୋଲିଂ ବିଭାଗ ଉପରେ ପ୍ରଭାବ ପଡିପାରେ ।
ବୁମରାଙ୍କ ପିଠିରେ ଆଘାତ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରୁ ବାଦ ଦିଆଯାଇଥିଲା । ଏହା ପୂର୍ବରୁ ବୁମରା ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଖେଳିଥିଲେ । ତେବେ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସରିଜ୍ ଖେଳିବାକୁ ସେ କେରଳ ଗସ୍ତ କରିନଥିଲେ । ତେବେ ଦକ୍ଷିଣ ଆଫ୍ରିକା ସିରିଜ ବିପକ୍ଷରେ ବୁମରାଙ୍କ ବଦଳ ଖେଳାଳି ଭାବରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା । ତେବେ ବୁମରା କେବେ ଫିଟ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।