ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳାଯିବାକୁ ଯାଉଛି । ଯାହାକୁ ନେଇ ବେଶ୍ ଉତ୍ସାହିତ କ୍ରିକେଟ ପ୍ରେମୀ । ଚଳିତ ବର୍ଷ ଏସିଆ କପ୍ ହାଇବ୍ରିଡ୍ ମୋଡ୍ରେ ହେବ । ଉଭୟ ଶ୍ରୀଲଙ୍କା ଓ ପାକିସ୍ତାନ୍ରେ ଖେଳାଯିବ ଏହାର ସମସ୍ତ ମ୍ୟାଚ୍ । ତେବେ ଭାରତ ଏହାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଥିବାବେଳେ ପାକିସ୍ତାନ ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ଶ୍ରୀଲଙ୍କା ଆସିବ । ଏହି ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ଦେଖିବାକୁ ଶ୍ରୀଲଙ୍କାରେ ଟିକେଟ୍ ଦର ଆକାଶ ଛୁଆଁ ହେଲାଣି । ତେବେ ବିଭିନ୍ନ ସମୟରେ ବିସିସିଆଇ ଓ ଭାରତ ଉପରେ ବିଷ ଓଗାଳୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତାର ଏବେ ଏଭଳି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି ।
ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ ଖେଳି ଏସିଆ କପ୍ ଅଭିଯାନ ଆରମ୍ଭ କରିବ । ଏହାପରେ ଗ୍ରୁପ ଷ୍ଟେଜରେ ସେପ୍ଟେମ୍ବର ୪ରେ ନେପାଳକୁ ଭେଟିବ ଟିମ୍ ଇଣ୍ଡିଆ । ପୁଣିଥରେ ସୁପର ୪ ରାଉଣ୍ଡରେ ସେପ୍ଟେମ୍ବର ୧୦ ତାରିଖରେ କଲମ୍ବୋରେ ପାକିସ୍ତାନକୁ ଭେଟିବ ରୋହିତ ବାହୀନି । ତେବେ ଏହାପୂର୍ବରୁ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବଲର ସୋଏବ ଅଖତାର ଦେଇଥିବା ଏକ ବୟାନ ଚର୍ଚ୍ଚାର ପରିସରକୁ ଆସିଛି । ବିଭିନ୍ନ ସମୟରେ ସୋଏବ ବିସିସିଆଇ ତଥା ଭାରତୀୟ କ୍ରିକେଟରମାନଙ୍କୁ ନେଇ ଏମିତି କିଛି ପ୍ରତିକ୍ରିୟା ଦେଇଥାଆନ୍ତି, ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଭାରତ-ପାକ୍ ମ୍ୟାଚ ରୋମାଞ୍ଚ, ବଢିଲା ବିମାନ-ହୋଟେଲ ଭଡା
ତେବେ ଚଳିତ ବର୍ଷ ଦିନିକିଆ ବିଶ୍ବକପ୍ ଭାରତ ଆୟୋଜନ କରୁଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟରେ ଭାରତ ବହୁତ ଟଙ୍କା ରୋଜଗାର କରୁ ବୋଲି ନିକଟରେ ଏକ ସାକ୍ଷାତକାରରେ ସୋଏବ ଅଖତାର୍ କହିଛନ୍ତି । ସେ କହିଛନ୍ତି, "ଭାରତରୁ ପରୋକ୍ଷ ଭାବେ ଆସୁଥିବା ଟଙ୍କାରେ ପାକିସ୍ତାନୀ କ୍ରିକେଟର ବଞ୍ଚିଥାନ୍ତି । ସେଥିପାଇଁ ମୁଁ ଚାହୁଁଛି ଭାରତ ଏହି ବିଶ୍ବକପରେ ଖୁବ୍ ଟଙ୍କା ରୋଜଗାର କରୁ । କିଛି ଲୋକ ଏହାକୁ କହିବାକୁ କୁଣ୍ଠାବୋଧ କରୁଥାଇପାରନ୍ତି । କିନ୍ତୁ ମୁଁ ଏସବୁ ସ୍ପଷ୍ଟ ଭାବେ କହୁଛି । ଭାରତରୁ ଯେଉଁ ରେଭିନ୍ୟୁ ଆଇସିସିକୁ ଯାଇଥାଏ, ସେହି ରେଭିନ୍ୟୁର କିଛି ଅଂଶ ପାକିସ୍ତାନକୁ ଆସିଥାଏ । ଏହାଦ୍ବାରା ଆମର ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫି' ମିଳିଥାଏ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ